
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅର୍ନ୍ତଗତ ଲଖମରା ସରକାରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରାଣଦାତା ତଥା ପ୍ରତିଷ୍ଠାତା ସ୍ୱର୍ଗତ ସଦାଶିବ ବେହେରାଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏକଦା ସେ ଥିଲେ ଓଡ଼ିଶା ନିର୍ମାତା ତଥା ଇଣ୍ଡୋନେସିଆର ବରପୁତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ବନ୍ଧୁ । ବିଦ୍ୟାଳୟ ପରିସରରେ କୋଭିଡ କଟକଣାକୁ ଦୃଷ୍ଟିରେ ସ୍କୁଲ ପରିସରରେ ଥିବା ସ୍ୱର୍ଗତ ସଦାଶିବ ବେହେରାଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ସୁପୁତ୍ର ତଥା ପୂର୍ବତନ ଲଖମରା ନାରାୟଣ ବେହେରା ସ୍କୁଲରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗୁରୁଜନ ମାନେ ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମାଲ୍ୟାର୍ପଣ ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇ ସ୍ୱର୍ଗତ ସଦାଶିବ ବେହେରାଙ୍କ ଏହି ବିଦ୍ୟାଳୟ ଓ ଅଞ୍ଚଳ ପ୍ରତି ତାଙ୍କର ଅହେତୁକ ଅବଦାନର ସ୍ମୃତିଚାରଣ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନାରାୟଣ ବେହେରାଙ୍କ ସହ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେର, ରାଜ୍ୟ ଜିଏସଟି ଡେପୁଟି କମିଶନର ଲିଙ୍ଗରାଜ ପ୍ରଧାନ, ପୁରାତନ ଛାତ୍ର ତଥା ଅଧ୍ୟାପକ କ୍ଷମାସାଗର ସାହୁ ଓ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସୁବାଷ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ ପୂର୍ବକ ସମ୍ବୋଧନ କରୁଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ, ସହକାରୀ ଶିକ୍ଷକ ପୁରୁଷୋତ୍ତମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ପବିତ୍ର ଜନ୍ମଦିନ ଉତ୍ସବକୁ ମୁଖରିତ କରିବା ଏବଂ ଏହି ଦିନର ସ୍ମୃତିକୁ ମନେ ରଖିବା ପାଇଁ ଉପସ୍ଥିତ ଅତିଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ବିଦ୍ୟାଳୟକୁ ଏକ ସୁନ୍ଦର ସବୁଜବଳୟ ସୃଷ୍ଟି ଦିଗରେ ପ୍ରୟାସ କରାଯାଇଥିଲା ।