ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଳା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବିଧାୟକଙ୍କ ପ୍ରତିନିଧି, ପଂଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ଦିଶା କମିଟିର ସଦସ୍ୟ, ସଦସ୍ୟା, ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ, କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ଚଂଚଳ ରାଣା ସମସ୍ତ ସଭ୍ୟସଭ୍ୟାଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗିନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀମାନେ ଉତ୍ତମ ସମନ୍ୱୟ ରଖି ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିବା ସହ ଯୋଜନା ଗୁଡ଼ିକର ସୁଫଳ ଯେପରି ତୃଣମୂଳ ସ୍ତରରେ ପହଂଚି ପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ପାମର୍ଶ ଦେଇଥିଲେ । କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ସଠିକ କାର୍ୟ୍ୟକାରିତା ଓ ଉପଯୁକ୍ତ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର ଯୋଜନା ଗୁଡ଼ିକର କାର୍ୟ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ରାସ୍ତା ଓ ବ୍ରିଜ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ କାର୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଜରିଆରେ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରି ବିଦ୍ୟୁତ ଚାର୍ଜ ହେବାକୁ ଥିବା ଗ୍ରାମ ଗୁଡ଼ିକୁ ଯଥାଶୀଘ୍ର ବିଦ୍ୟୁତ ଯୋଗାଇ ଦେବାକୁ ଏନ୍‌ଟିପିସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଜରିଆରେ ଜିଲ୍ଲାରେ ଉପକୃତ ହେଉଥିବା ହିତାଧିକାରୀ ତଥା ଏହାର କାର୍ୟ୍ୟକାରିତା ଓ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଅବାସ ଯୋଜନା ସହରାଂଚଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା ଗ୍ରାମୀଣର ସ୍ଥିତି ଓ କାର୍ଯ୍ୟକାରିତା ସଂପର୍କରେ ସବିଶେଷ ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ଅନ୍ତର୍ଗତ ଓଭର ଟ୍ୟାଙ୍କ ନିର୍ମାଣର ଅଗ୍ରଗତି ଏବଂ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ଉଦ୍ୟାନ ଜରିଆରେ କାର୍ଯ୍ୟକାରୀ ହେଉଥିବା ଗ୍ରୀନ ହାଉସ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରି ଉଦ୍ୟୋଗୀ ଚାଷୀ ମାନଙ୍କୁ ଏ ସଂପର୍କରେ ପ୍ରୋତ୍ସାହିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମୃତ୍ତିକା ପରୀକ୍ଷା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଂପର୍କରେ ସମୀକ୍ଷା କରି କୃଷି ଓ ଉଦ୍ୟାନ କୃଷି ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଚାଷୀମାନେ କିପରି ଏଥିରୁ ଉପକୃତ ହୋଇପାରିବେ, କାହାକୁ ଯୋଗାଯୋଗ କରିବେ, ଯୋଗାଯୋଗ ନମ୍ବର ଇତ୍ୟାଦି ତଥ୍ୟ ସମ୍ବଳିତ ସୂଚନା ଫଳକ କାର୍ୟ୍ୟାଳୟ ସମ୍ମୁଖର ଲଗାଇବା ସହ ଏକ ସୂଚନା ପୁସ୍ତିକା ପ୍ରସ୍ତୁତ କରି ବଂଟନ କରିବାକୁ ପରାମର୍ଶ ଦେଇଥିଲେ । ଏତଦ୍‌ବ୍ୟତୀତ ବୈଠକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ୟ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକ ଶେଷରେ ପିଡ଼ି, ଡିଆର୍‌ଡିଏ ଡ. ମହେଶ୍ୱର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.