ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜସ୍ୱ ସଂଗ୍ରହ ମୋହରେ ରାଜ୍ୟ ସରକାର ଗାଁ ଗାଁରେ ମଦ ଭାଟି, ମଦ କୋଠି, ବିଦେଶୀ ମଦ ଦୋକାନ ଖୋଲି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ହଜାର ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ଆଖି ବନ୍ଦ କରି ଛତୁ ଫୁଟିଲା ପରି ମଦ ଦୋକାନ ମାନ ଖୋଳୁଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘସିଏନ ଗାଁରେ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅନତି ଦୂରରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ସବୁ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଏକ ବିଦେଶୀ ମଦ ଦୋକାନ ଖୋଲିଛନ୍ତି । ଏହି ମଦ ଦୋକାନ ହେବା ଦ୍ୱାରା ଘସିଏନ ଗ୍ରାମ ଉପରେ କଲେଜ, ହସ୍ପିଟାଲ, ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ୟ୍ୟରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ପ୍ରଭାବିତ ହେବେ । ଅଞ୍ଚଳରେ ଏକ ମାତ୍ର ମହାବିଦ୍ୟାଳୟ ଥିବାରୁ ପଡୋଶୀ ଗ୍ରାମର ହଜାର ହଜାର ଛାତ୍ରଛାତ୍ରୀ ଏହି କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଅଧ୍ୟୟନ କରୁଛନ୍ତି । ଏହି ମଦ ଦୋକାନ ହେବା ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ, ଛାତ୍ରଛାତ୍ରୀ ଅନ୍ୟାୟ ଅତ୍ୟାଚାରର ଶିକାର ହେବେ, ବିଶେଷ କରି ଛାତ୍ରୀମାନେ କମେଣ୍ଟ ମରାର ଶିକାର ହେବେ, ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ବଢିବ, ଅଂଚଳରେ ଚୋରି ଡକାୟତି ବଢିବ, ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ବାହାରିବ, ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବ, ଜନସାଧାରଣ ଆର୍ଥିକ ଶୋଷଣର ଶିକାର ହେବେ । ଅଞ୍ଚଳର ସ୍ୱାର୍ଥ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ଦାବୀରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଆଦିବାସୀ କଲ୍ୟାଣ ସଂଘର ନେତୃ ମଣ୍ଡଳୀ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବରିଷ୍ଟ ସଦସ୍ୟ ମନବୋଧ ବରିହା, ଘନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମୁଖ୍ୟ ସମସ୍ୟା ସମ୍ପର୍କରେ ସାତ ଦିନ ମଧ୍ୟରେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ସାତ ଦିନ ପରେ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଦେବାକୁ ଧମକ ଦେଇଛନ୍ତି ।