ବାତ୍ୟା ୟାସ : ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ସର୍ବନିମ୍ନ ପ୍ରଭାବ

  • ବାତ୍ୟା ସତର୍କ ସୂଚନା ପାଇଁ ଟେଲିଯୋଗାଯୋଗ ନେଟଓ୍ବର୍କର ବ୍ୟାପକ ଉପଯୋଗ
    ପଶ୍ଚିମବଙ୍ଗ, (ପିଆଇବି) : ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ରାଜ୍ୟ ବିପର୍ୟ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏସଡିଏମଏ)ଙ୍କ ପକ୍ଷରୁ ବାତ୍ୟା ସତର୍କତା ବାର୍ତ୍ତା ପଠାଇବା ଲାଗି ୨୪ ଓ ୨୫ ମେ ୨୦୨୧ରେ ଟେଲି ଯୋଗାଯୋଗ ବିଭାଗର କମନ ଆଲର୍ଟ ପ୍ରୋଟୋକଲ (ସିଏପି)କୁ ବ୍ୟାପକ ଭାବେ ନିଃଶୁଳ୍କ ଉପଯୋଗ କରାଯାଇଥିଲା । ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରିବା ଲାଗି ଆଞ୍ଚଳିକ ଭାଷାରେ ମୋଟ ୬ କୋଟିରୁ ଅଧିକ ଏସଏମଏସ/ବାର୍ତ୍ତା ପଠାଯାଇଥିଲା । ଏଥିମଧ୍ୟରୁ ୩.୮୭ କୋଟି ପଶ୍ଚିମବଙ୍ଗରେ, ୨.୪୩ କୋଟି ଓଡ଼ିଶାରେ ଏବଂ ଆନ୍ଧ୍ରପ୍ରଦେଶରେ ୩୬.୪ ଲକ୍ଷ ବାର୍ତ୍ତା ପଠାଯାଇଥିଲା । ଏଥିସହିତ ପ୍ରଥମ ଥର ପାଇଁ ଭଏସ୍ ଆଲର୍ଟ ମେସେଜ୍ ପ୍ରେରଣ କରାଯାଇଥିଲା । ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଉଟବାଉଣ୍ଡ ଡାଏଲର (ଓବିଡି)କୁ ଉପଯୋଗ କରି ଟେଲି ଯୋଗାଯୋଗ ସେବା ପ୍ରଦାନକାରୀମାନେ ଏହି ମେସେଜ୍ ପଠାଇଥିଲେ। ସ୍ଥାନୀୟ ଭାଷାରେ ମୋଟ୍ ୬୦ ଲକ୍ଷରୁ ଅଧିକ ଉପଭୋକ୍ତା (ପଶ୍ଚିମବଙ୍ଗରେ ୩୬.୫ ଲକ୍ଷ ଏବଂ ଓଡ଼ିଶାରେ ୨୧.୫ ଲକ୍ଷ)ଙ୍କୁ ଓବିଡି ଜରିଆରେ ସତର୍କ କରାଯାଇଥିଲା। ଟେଲି ଯୋଗାଯୋଗ ସେବା ପ୍ରଦାନକାରୀମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ଜନସମ୍ପର୍କ କାର୍ୟ୍ୟକୁ ସମ୍ପାଦନ କରିଥିଲେ । ବାତ୍ୟା ଯୋଗୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ଦକ୍ଷିଣ ୨୪ ପରଗଣା ଓ ଝାରଗ୍ରାମ ଜିଲ୍ଲା ଏବଂ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭାବିତ ହୋଇଛନ୍ତି । ବାତ୍ୟା ପୂର୍ବରୁ ଟେଲି ଯୋଗାଯୋଗ ବିଭାଗର ସଚିବ ସ୍ତରୀୟ ସମୀକ୍ଷା ଓ ପୁନରୁଦ୍ଧାର ପଦକ୍ଷେପ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ସକାଳେ ଓ ସନ୍ଧ୍ୟାରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ବୈଠକରେ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ (ରିଲାଏନ୍ସ, ଜିଓ, ଏୟାରଟେଲ, ଭୋଡ଼ାଫୋନ-ଆଇଡିଆ ଓ ବିଏସଏନଏଲ) ଏବଂ ଭିତ୍ତିଭୂମି ଯୋଗାଣକାରୀ (ଏଟିସି, ଇଣ୍ଡସ, ଆସେଣ୍ଡ, ଟାଓ୍ବାର ଭିଜନ ଏବଂ ସୁମିତ ଡିଜିଟାଲ) ଓ ସେମାନଙ୍କର ସହଯୋଗୀ ଟାଇପା ମଧ୍ୟ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ନିୟମିତ ମତାମତ ସଂଗ୍ରହ କରାଯାଇଥିଲା । ନିମ୍ନୋକ୍ତ ଜିଲ୍ଲାଗୁଡ଼ିକରେ ଟେଲି ଯୋଗାଯୋଗ ସଚିବଙ୍କ ଦ୍ବାରା ଆନ୍ତଃସର୍କଲ ରୋମିଂ (ଆଇସିଆର) ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପଶ୍ଚିମବଙ୍ଗ- ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ଦକ୍ଷିଣ ୨୪ ପରଗଣା ଓ ଝାରଗ୍ରାମ ଜିଲ୍ଲା । ଓଡ଼ିଶା- ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ । ଏହାଫଳରେ ଉପଭୋକ୍ତା/ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଶୁଳ୍କରେ ସେମାନଙ୍କ ଅଞ୍ଚଳରେ ଯେଉଁ ଟେଲିଯୋଗାଯୋଗ ନେଟଓ୍ବର୍କ ଉପଲବ୍ଧ ରହିବ ତାହାର ସୁବିଧା ନେଇପାରିବେ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ୧୦୦୦ରୁ ଅଧିକ ଅପ୍ଟିକାଲ ଫାଇବର ଦଳ ଓ ମରାମତି ଦଳକୁ ନିୟୋଜିତ କରାଯାଇଥିଲା । ବିଏସଏନଏଲର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାସ୍ତରରେ ନିୟୋଜିତ କରାଯାଇଥିଲା ଯେଉଁମାନେ ଜିଲ୍ଲାପାଳମାନଙ୍କ ସହିତ ସମନ୍ବୟ ରକ୍ଷା କରିଥିଲେ। ରାଜ୍ୟ ରାଜଧାନୀରେ ଟେଲି ଯୋଗାଯୋଗ ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କର୍ତ୍ତୃପକ୍ଷମାନେ ରାଜ୍ୟ ନୋଡାଲ ଅଧିକାରୀଙ୍କ ସହିତ ସମନ୍ବୟ ରକ୍ଷା କରିଥିଲେ । ଟେଲି ଯୋଗାଯୋଗ ବିଭାଗ ଦ୍ବାରା ଉତ୍ତମ ସମନ୍ବୟ ମାଧ୍ୟମରେ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଏବଂ ଭିତ୍ତିଭୂମି ସେବା ପ୍ରଦାନକାରୀଙ୍କ ମିଳିତ ପ୍ରୟାସ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ନେଟଓ୍ବର୍କର ମରାମତି କାର୍ୟ୍ୟ ତୁରନ୍ତ ଆରମ୍ଭ କରାଯାଇଛି । କ୍ଷୟକ୍ଷତି ସର୍ବନିମ୍ନସ୍ତରରେ ରହିଥିଲେ ସୁଦ୍ଧା ତ୍ବରିତ ପଦକ୍ଷେପ ଦ୍ବାରା ସେଗୁଡ଼ିକର ମରାମତି କାର୍ୟ୍ୟ ଯଥାଶୀଘ୍ର ସମ୍ପାଦନ କରାଯିବ ।
Leave A Reply

Your email address will not be published.