csstore

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆଶାୟୀ ହିତାଧିକାରୀଗଣ ହଇରାଣ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ପାଇବାକୁ ଆବେଦନ କରିଥିବା ଅସହାୟ ବିଧବା ମହିଳାମାନଙ୍କ ଆଶା ଆକାଂକ୍ଷା ପ୍ରତି ଖପ୍ରାଖୋଲ ବ୍ଳକରେ ଗୁରୁତ୍ଵ ଦିଆଯାଇଥିବାରୁ ବହୁ ଆବେଦନକାରୀ ବଞ୍ଚିତ ହେଉଛନ୍ତି । ବହୁତ ଗୁଡ଼ାଏ ଆବେଦନ ଫର୍ମ ଯାଞ୍ଚ ଆଳରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଦିଆଯାଇଥିବା ଅଭିଯୋଗ ହେଉଛି । ପ୍ରଶାସନିକ ସ୍ତରରେ ଏଭଳି ଅସହଯୋଗ ମନଭାବ ରହୁଥିବାରୁ ସ୍ଵାମୀହରା ତଥା ବିପିଏଲ ତାଲିକା ଭୁକ୍ତ ବିଧବା ମହିଳାମାନଙ୍କୁ ପରିବାର ପୋଷଣ ସକାଶେ ଉପାର୍ଜନକ୍ଷମ କରାଇବାର ଯୋଜନାର ଲକ୍ଷ ଏହି ବ୍ଳକରେ ସାଧିତ ହୋଇପାରୁନାହିଁ । ଅନ୍ୟ ପକ୍ଷରେ ସ୍ଵାମୀହରା ମହିଳାମାନେ ନିଜ ପିଲାଛୁଆଙ୍କୁ ନେଇ ଅତ୍ୟନ୍ତ ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରୁଛନ୍ତି । ସୁଚନା ଯୋଗ୍ୟ ବ୍ଳକର ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଗରୀବ ଆଦିବାସୀ ବିଧବା ମହିଳା ଗୁଲାପୀ ବରିହା ତାଙ୍କ ସ୍ଵାମୀ ଭଗବାନ ବରିହାଙ୍କ ମୃତ୍ୟୁ ହେବାର ଆଜକୁ ପ୍ରାୟ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେଇଥିଲେ ହେଁ ତାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ରାଶି ମିଳିନାହିଁ । ଠିକ୍ ସେହିପରି ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗ୍ରାମର ଗରୀବ ଆଦିବାସୀ ବିଧବା ମହିଳା ସବିତା ବରିହାଙ୍କୁ ମଧ୍ୟ ତାଙ୍କ ସ୍ଵାମୀ ରୁପେଶଙ୍କ ମୃତ୍ୟୁ ଗୋଟିଏ ବର୍ଷ ବିତିଯାଇଥିଲେ ହେଁ ବିଧବା ଭତ୍ତା କି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ରାଶି ମିଳୁନଥିବା ଅଭିଯୋଗ ହେଉଛି । ଏହି ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ରହିଥିବା ସତ୍ୱେ କେଉଁ ଉଦ୍ଦେଶ୍ୟ ରଖି ହିତାଧିକାରୀ ଚୟନ ପ୍ରକିୟା ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଛି ବୋଲି ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୁଇ ଗରିବ ଆଦିବାସୀ ବିଧବା ମହିଳାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

jayashree
Leave A Reply

Your email address will not be published.