jayashree

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ କଚେରୀ ସାମ୍ନାରେ ଥିବା ଓଭର ହେଡ ଟେଙ୍କ ପରିସରର ମୁଖ୍ୟ ଫାଟକ ଗୋଟିଏ ଫାଳ ଦୀର୍ଘ ବର୍ଷ ଧରି ନଷ୍ଟ ହୋଇଯାଇଛି । ଏହା ଦ୍ୱାରା ଲୋକଙ୍କ ସେ ଭିତରକୁ ଅବାଧ ଯା ଆସ ଲାଗିଛି । ଫାଟକରେ ତାଲା ପକାଇବା ଏକ ପ୍ରସହନରେ ପରିଣତ ହୋଇଛି । ଏଥିରୁ ଜନସ୍ୱାସ୍ଥ୍ୟ ବିଭାଗ ଜନ ସାଧାରଣଙ୍କ ସ୍ୱାର୍ଥକୁ ନେଇ କେତେ ଜାଗ୍ରତ ଜଣାପଡିଯାଉଛି । ଏ ସଂପର୍କରେ ବାରମ୍ବାର ଗଣ ମାଧ୍ୟମ ଗୁଡିକରେ ଖବର ପ୍ରକାଶ ହୋଇ ଆସୁଛି । କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗର ଜେଇଙ୍କ ଆନ୍ତରିକତା ଅଭାବରୁ ନୂଆ ଫାଟକ ଟିଏ ଲଗାଯାଇ ପାରୁନି । ଏହା ରାଜ୍ୟ ସରକାରଙ୍କ “ମୋ ସରକାର” ଓ ୫ଟି କାର୍ଯ୍ୟକ୍ରମକୁ ଖିଲାପ କରୁ ନାହିଁ କି ? ଏଥି ସହିତ ବର୍ଷ ବର୍ଷ ଧରି ସହରର ବିଭିନ୍ନ ନଳକୂପ ଅଚଳ ହୋଇ ଯାଇଥିଲେ ବି ମରାମତି କରାଯାଉ ନାହିଁ । ଏ ପରି କି ତିନିବର୍ଷ ତଳୁ ଖନନ କରାଯାଇ ଥିବା କେତୋଟି ନଳକୂପର ଚାନ୍ଦିନୀ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନି । ଜନସ୍ୱାସ୍ଥ୍ୟ ବିଭାଗରେ ଅର୍ଥର ଅଭାବ ନାହିଁ । ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଳିଛି । ଅଥଚ ଫାଟକ, ଚାନ୍ଦିନୀ ଇତ୍ୟାଦି ନିର୍ମାଣ କିମ୍ବା ମରାମତି କରିବା ପାଇଁ ଯେପରି ଅର୍ଥାଭାବ ରହିଛି । ଜେଇ ମହାଶୟ କିଛି ଜାଣି ନ ଜାଣିବା ପରି ରହୁଛନ୍ତି । କୌଣସି ସମସ୍ୟାକୁ ନେଇ କିଏ ଫୋନ କରିଲେ ଜେଇ ମହାଶୟ ସହଜରେ ପ୍ରତିକ୍ରିୟା ଦିଅନ୍ତି ନାହିଁ ବୋଲି ସବୁ ବେଳେ ଅଭିଯୋଗ ହୋଇ ଆସୁଛି । ଅନେକ ବର୍ଷରୁ ଗୋଟିଏ ଷ୍ଟେସନରେ ବସାବାନ୍ଧି ଦେଇଥିବାରୁ ସେ ବେପରବାୟ ରହୁଥିବା ପରି ମନେହୁଏ । ବରଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ ହୁଏ ।

Leave A Reply

Your email address will not be published.