ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ସହର ଓ ବ୍ଳକ ଗୁଡିକରେ ବିଭିନ୍ନ ସରକାରୀ ସଭାସମିତି କରିବା ସହ ବିଭିନ୍ନ ସମୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀଙ୍କ ଆଗମନ ହେଇଥାଏ । ଏହି ଆଗମନରେ ଅତିଥି ମାନଙ୍କୁ ଡ଼ାକବଙ୍ଗଳାରେ କିଛି ସମୟ ବିଶ୍ରାମ କରିବାର ବ୍ୟବସ୍ଥା ରହିଥାଏ । ସେଠାକାର ପ୍ରଶାସନ ଡ଼ାକବଙ୍ଗଳାର ରକ୍ଷଣାବେକ୍ଷଣ କରିବାର ଦାୟିତ୍ୱ ନେଉଥିବାର ସୂଚନା ରହିଛି । କେତେକ ଡାକବଙ୍ଗଳା ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଅଳିଆ ଆବର୍ଜନାରେ ପଡିରହିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ କି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଠାରେ ଥିବା ଡ଼ାକବଙ୍ଗଳା ଟି ବେଲପଡା ପ୍ରଶାସନ ରକ୍ଷଣାବେକ୍ଷଣ ଅଭାବରୁ ଡ଼ାକବଙ୍ଗଳା କୋଠରୀ ପରିସର ଟି ମଦୁଆଙ୍କ ଆଡ୍ଡାସ୍ଥଳୀ ହେଉଛି । କୋଠରୀ ଭିତରେ ମଦ ପାଉଚ, ବିଅର ବୋତଲ ଏବଂ ବିଭିନ୍ନ ପ୍ରକାରର ବିଦେଶୀ ମଦ ବୋତଲ ପଡ଼ିଥିବା ବେଳେ ଡ଼ାକବଙ୍ଗଳା ଟି ବାହାର ଚର୍ତୁପାଶ୍ୱରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡ଼ିଛି । ବେଲପଡାରେ ସରକାରୀ, ବେସରକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ଅନେକ ସମୟରେ ଜନସଚେତନ, ତାଲିମ ଶିବିର ଏବଂ ଶୋକ ଭଳି କାର୍ଯ୍ୟକ୍ରମ କରିଥାନ୍ତି । ହେଲେ କାର୍ଯ୍ୟକ୍ରମ କରିବା କୌଣସି ସୁବିଧା ନଥିବାରୁ ଘୋର ଅସୁବିଧା ଦେଖା ଯାଉଛି । ଅଳିଆ ଆବର୍ଜନାରେ ଭରା ବେଲପଡା ଡ଼ାକବଙ୍ଗଳା ବୋଲି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି । ବେଲପଡା ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଡ଼ାକବଙ୍ଗଳା ରକ୍ଷଣାବେକ୍ଷଣ କରିବାକୁ ସାଧାରଣରେ ଦାବୀ ହେଉଛି ।