ଦେଓଗାଁରେ ସପ୍ତାହନ୍ତ ସଟଡାଉନ : ଅଚାନକ ସଟ୍‌ଡାଉନ୍ ନିଷ୍ପତ୍ତି ଯୋଗୁଁ ଦ୍ୱନ୍ଦରେ ବେପାରୀ, ପୁଲିସ ପକ୍ଷରୁ ପେଟ୍ରୋଲିଂ, ମାସ୍କ ଯାଞ୍ଚ

ଦେଓଗାଁ, (ମନୀଷ କୁମାର ସାହୁ): ସରକାର ସପ୍ତାହନ୍ତ ଦୁଇ ଦିନ ରାଜ୍ୟ ବହୁ ସହରାଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିନଥିବା ବେଳେ ରବିବାର ଦିନ ଦେଓଗାଁ ଅଞ୍ଚଳରେ ସଟ୍‌ଡାଉନ୍ ପାଳନ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଭଳି ଦେଓଗାଁ ଅଞ୍ଚଳରେ ଦୋକାନ, ହୋଟେଲ, ଫାଷ୍ଟ ଫୁଡ୍ ସେଣ୍ଟର୍ ଖୋଲିଥିଲେ । ରବିବାର ଥିଲା ଦେଓଗାଁ ବଜାର । ହେଲେ କୋଭିଡ୍ ପରଠୁ ପୂର୍ବ ସ୍ଥାନରେ ବଜାର ନ ବସି ଗାଁ ମଧ୍ୟରେ ଭିନ୍ନ ସ୍ଥାନରେ ବେପାରୀମାନେ ତାଙ୍କ ପସରା ମେଲାଇଥାନ୍ତି । ହେଲେ ଅଚାନକ ପୁଲିସ ଗାଡ଼ି ଗାଁରେ ପହଁରା ମାରି ଦୋକାନ ସବୁକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଆସିଥିଲା, ଦୋକାନ ଗୁଡ଼ିକୁ ବନ୍ଦ କରିଦିଅନ୍ତୁ ବୋଲି କହି ଚାଲିଥିଲେ । ଫଳରେ ଦୋକାନୀମାନେ ଦ୍ୱନ୍ଦରେ ପଡ଼ିଥିଲେ । ସଟ୍‌ଡାଉନ୍ ପାଇଁ ପୂର୍ବରୁ କୌଣସି ପ୍ରକାରର ଘୋଷଣା କରାଯାଇ ନ ଥିବାରୁ ଅଞ୍ଚଳର ବହୁ ଦୋକାନୀ, ହୋଟେଲ ମାଲିକ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ରାତିରୁ ପ୍ରସ୍ତୁତ ଆରମ୍ଭ କରିଥିବା ବେଳେ ସକାଳେ ଦୋକାନ ବନ୍ଦ କରିବାରୁ କ୍ଷତିରେ ପଡ଼ିଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିଭଳି ଦେଓଗାଁ ସଦରର ନିକଟସ୍ଥ ସହର ଭାବେ ବଲାଙ୍ଗିର, ଟିଟଲାଗଡ, ତୁଷୁରା ସହ ସଇଁନ୍ତଲା ମଧ୍ୟ ଆଜି ସଟଡାଉନ୍ ଯୋଗୁଁ ଯାତ୍ରୀବାହୀ ଗାଡ଼ିଗୁଡିକ ମଧ୍ୟ ଦେଓଗାଁ ପଟକୁ ଆସିନଥିଲା । ଫଳରେ ରାସ୍ତାଘାଟ ଶୂନ୍ ଶାନ୍ ହୋଇଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ପୁଲିସ୍ ତରଫରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରୁଥିବା ଦେଖାଯାଇଥିଲା । ଏପରିକି ଦେଓଗାଁ ଥାନା ପକ୍ଷରୁ ରବିବାର ସକାଳୁ ଯାଞ୍ଚ କଡ଼ା କଡ଼ି କରି ପେଟ୍ରୋଲିଂ କରାଯାଇଥିଲା । ଫଳରେ ଲୋକମାନଙ୍କ ଚଳପ୍ରଚଳ ବନ୍ଦ ଥିବାରୁ ଜାତୀୟ ରାଜପଥ ଜନଶୂନ୍ୟ ହୋଇଥିବା ବେଳେ ଖାଲି ଲାଗୁଥିଲା ଗାଁ ଦାଣ୍ଡ ।

Leave A Reply

Your email address will not be published.