ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍‌ ଗ୍ରାମରେ ଛେଳି ମଡକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍‌ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖା ଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍‌ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍‌ ଗ୍ରାମରେ ଗତ କିଛିଦିନ ହେଲା କୌଣସି ଅଜଣା ରୋଗରେ ପୀଡିତ ହୋଇ ଅନେକ ଛେଳି ମରି ସାରିଲେଣି । ଗ୍ରାମର ସୁଶୀଲ କହଁରଙ୍କ ୭ ଗୋଟି, ଆଶାରାମ୍‌ ମହାକୁଡଙ୍କ ୫ ଗୋଟି, ସୀତାରାମ ମହାକୁଡଙ୍କ ୭ ଗୋଟି ଛେଳି ମୃତ୍ୟୁବରଣ କରି ସାରିଥିବା ବେଳେ ଆହୁରି ଅନେକ ଚାଷୀଙ୍କ ବହୁ ସଂଖ୍ୟାରେ ଛେଳି ରୋଗାକ୍ରାନ୍ତ ଥିବା ଜଣାପଡିଛି । ଏ ସମ୍ପର୍କରେ କଣ୍ଟାମାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସହାୟତା ମିଳି ପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ କଣ୍ଟାମାଳ ପ୍ରାଣୀ ଚିକିତ୍ସକ ଗାଁକୁ ଥରେ ଆସିଥିଲେ ଓ ଛେଳି ମଡକ ସମ୍ପର୍କରେ ଅନୁଧ୍ୟାନ କରି ଯାଇଥିଲେ । ମାତ୍ର ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି । ବର୍ଷର ବିଭିନ୍ନ ସମୟ ଏଭଳି ଛେଳି ମଡ଼କ ଲାଗି ରହୁଥିବାରୁ ନିରାକରଣ ହେଉନ ଥିବା ଯୋଗୁଁ ଅନେକ ଚାଷୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡୁଛି ।

Leave A Reply

Your email address will not be published.