ଦେଓଗାଁ, (ମନିଷ କୁମାର ସାହୁ) : ବହୁ ଦିନ ହେଲା ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀର ବାଲିଘାଟ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଟେଣ୍ଡର ପାଇଥିବା ବିଡ଼ରମାନେ ସରକାରୀ ନିୟମ ଅନୁସାରେ ଟଙ୍କା ମଧ୍ୟ ଜମା କରିଛନ୍ତି । ହେଲେ ତହସିଲ କାର୍ୟ୍ୟାଳୟର ଅବହେଳା ଯୋଗୁଁ ଚୁକ୍ତି କରିବାରେ ବିଳମ୍ବ ହେଉଛି । ଏହାର ସୁଯୋଗରେ ରାଜସ୍ୱ ବିଭାଗର କିଛି କର୍ମଚାରୀଙ୍କ ସହଯୋଗରେ ବେଆଇନ ଭାବେ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚାଲାଣ ହେଉଛି । ଅନ୍ୟପକ୍ଷରେ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି । ଆଇନଗତ ଭାବେ ଟେଣ୍ଡର ପାଇଥିବା ଲୋକଙ୍କୁ ବାଲି ଉଠାଣ ପାଇଁ ସହଯୋଗ କରୁ ନଥିବା ଅଭିଯୋଗ ହେଉଛି । ଏହା ଦ୍ୱାରା ଦେଓଗାଁ ତହସିଲ ଅଞ୍ଚଳରେ ବାଲି ମାଫିଆ ସକ୍ରିୟ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ୩ଟି ପର୍ୟ୍ୟାୟରେ ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀର କଛାରପାଲି, ଗାଈବାହାଲ, ଅଫାମରା, ଛତାପିପଲ, ସିକୁଆଁ, ଅର୍ଡ଼, କୁତୁର୍ଲା, ଘାଟୁଲ, ଅନ୍ତର୍ଲା, ଟେପ୍ରେନ ଓ ତେଲନଦୀର ରତାଖଣ୍ଡି ବାଲିଘାଟକୁ ନିଲାମ କରାଯାଇଥିଲା । ଅଫାମରା, ଛତାପିପଲ, ଘାଟୁଲ, ଅନ୍ତର୍ଲା ଓ ଟେପ୍ରେନ ବାଲିଘାଟ ନିଲାମ ପାଇଁ କେହି ଟେଣ୍ଡର ପକାଇଲେ ନାହିଁ । ସୋନଗଡ଼ ନଦୀରେ ଥିବା ସିଲେଟକାନି ଓ ତେଲନଦୀରେ ଥିବା କେନ୍ଦୁଘାଟ ବାଲି ଘାଟକୁ ଗତ ୫ବର୍ଷ ତଳେ ହୋଇଥିବା ନିଲାମ ସମୟରେ ବିଳମ୍ବରେ ଚୁକ୍ତି କରାଯାଇଥିବାରୁ ଅଧିକ ସମୟ ଦିଆଯାଇଛି । ବର୍ତ୍ତମାନ ସିଲେଟକାନି ଓ କେନ୍ଦୁଘାଟରୁ ମନଇଚ୍ଛା ବାଲି ଉଠାଣ ଚାଲିଛି । ଟଙ୍କା ଜମା କରିଥିଲେ ମଧ୍ୟ ୱାଇ ଫର୍ମ ହସ୍ତାନ୍ତର କରାଯାଉନାହିଁ ବୋଲି ଅଭିଯୋଗ ହେଉଛି ।
Next Post