ଓବିସି ଜନଗଣନା ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ : ଜିଲ୍ଲା ଓବିସି ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ଜନଗଣନା ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା ଓବିସି ମଂଚ ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, ବିଳମ୍ବରେ ହେଲେ ହେଁ କେନ୍ଦ୍ର ସରକାରଙ୍କ ଅନିଛା ସତ୍ୱେ ଓଡିଶା ରାଜ୍ୟ ସରକାର “ପଛୁଆ ବର୍ଗ ଚିହ୍ନଟ ପାଇଁ ଜନଗଣନା” କରିବାକୁ ବିଜ୍ଞାପ୍ତି ପ୍ରକାଶ କରି ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଜିଲ୍ଲା ଓବିସି ମଂଚ ବଲାଙ୍ଗିର ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି କି, କେନ୍ଦ୍ର ସରକାର ଜନଗଣନା ପ୍ରକ୍ରିୟାରେ ସାମିଲ କରି ଓବିସି ଓ ଏସଇବିସି ବର୍ଗଙ୍କ ସମ୍ପର୍କରେ ଏକ ସ୍ପଷ୍ଟଚିତ୍ର ସାମନାକୁ ଆଣିବା ଦରକାର, ଯଦ୍ୱାରା ସରକାର ସେମାନଙ୍କ ବିକାଶ ପାଇଁ ଉପଯୁକ୍ତ ବ୍ୟବସ୍ଥା କରି ପାରିବେ । ରାଜ୍ୟ ସରକାର ମଣ୍ଡଳ କମିଶନ ଅନ୍ତର୍ଗତ ୨୦୦ ଜାତିଙ୍କୁ ନେଇ ଓବିସି ଓ ତହିଁରେ ୯ଟି ଅଣ ଓବିସି ଉଚ୍ଚ ଜାତିଙ୍କୁ ମିଶାଇ ମୋଟ ୨୦୯ଟି ଜାତିଙ୍କୁ ନେଇ ଏସଇବିସି ତାଲିକା ନିର୍ମାଣ କରି ଏସଇବିସି ନାମରେ ୧୧.୨୫% ସଂରକ୍ଷଣ ଦେଉଛନ୍ତି । ଏହି ପରିସ୍ଥିତିରେ ଓବିସି ପ୍ରାର୍ଥୀ ଚାକିରୀଟିଏ ପାଇଁ ଅଣ ଓବିସି ଏସଇବିସି ପ୍ରାର୍ଥୀ ସହିତ ପ୍ରତିଯୋଗିତା କରୁଥିବାରୁ, ଏସଇବିସି ଆରକ୍ଷଣ ୧୧.୨୫%କୁ ବଢାଇ ୨୭% କଲେ ବି ଓବିସିଙ୍କ ପାଇଁ କୌଣସି ଫାଇଦା ନାହିଁ । ତେଣୁ ଓଡିଶାରେ ଓବିସି ମୂଳରୁ ହିଁ ସଂରକ୍ଷଣ ସୁଯୋଗରୁ ବଂଚିତ । ଏହି ବିଜ୍ଞାପ୍ତିରୁ ଏହା ସ୍ପଷ୍ଟ ହୁଏ କି, କେଉଁମାନେ ଓବିସି ଓ କେଉଁମାନେ ଏସଇବିସି ସରକାର ତାର ସ୍ପଷ୍ଟଚିତ୍ର ବାହାର କରି ସଂଖ୍ୟାନୁପାତରେ ସଂରକ୍ଷଣ ଦେବେ ଓ ବହୁ ଦିନରୁ ଉପେକ୍ଷିତ ଓବିସିଙ୍କ ଆଶା ଆକାଂକ୍ଷା ପୂରଣ କରିବେ ।

ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପାଖରେ ଇଡବ୍ଲ୍ୟୁଏସ୍‌ ସମ୍ବନ୍ଧିତ କୌଣସି ତଥ୍ୟଭିତିକ ଡାଟା ନଥିବା ସତ୍ୱେ ସେମାନଙ୍କୁ ୧୦% ସଂରକ୍ଷଣ ଶିକ୍ଷା ଓ ଚାକିରୀରେ ଦିଆଯାଉଥିବା ବେଳେ ୫୨% ରୁ ଉଦ୍ଧ୍ୱର୍ ଓବିସିଙ୍କୁ ସଂରକ୍ଷଣରୁ ବଂଚିତ କରିବାର ଅନ୍ୟାୟ ନକରି, ଜନଗଣନାକୁ ଅପେକ୍ଷା ନକରି ଅତିଶୀଘ୍ର ଓବିସିଙ୍କୁ ୨୭% ସ୍ୱତନ୍ତ୍ର ସଂରକ୍ଷଣ ଯୋଗାଇ ଦିଅନ୍ତୁ । ପଛୁଆ ବର୍ଗଙ୍କ ଜନଗଣନା କରିବା ସାଥେ ସାଥେ ଆଗୁଆ ବର୍ଗଙ୍କର ବି ଜନଗଣନା କରି ସେମାନଙ୍କ ମଧ୍ୟରେ ଇଡବ୍ଲ୍ୟୁଏସ୍‌ ସଂଖ୍ୟା କେତେ ତାହାର ବି ଡାଟା ସଂଗ୍ରହ କରି ସଂଖ୍ୟାନୁପାତରେ ସଂରକ୍ଷଣ ଯୋଗାଇ ଦେବାର ଐତିହାସିକ ନିଷ୍ପତି ନେବାକୁ ଅନୁରୋଧ କରାଯାଇଛି ।

ଓବିସି ମଂଚ ଏସ୍‌ଟି/ଏସ୍‌ସି/ଏସ୍‌ଇବିସି ତଥା ଇଡବ୍ଲ୍ୟୁଏସ୍‌ ସାଧାରଣ ବର୍ଗଙ୍କୁ ସମାନୁପାତିକ ସଂରକ୍ଷଣ ଦେବାରେ କୌଣସି ବିରୋଧ କରୁନାହିଁ । ଏଣୁ ଓବିସି ବର୍ଗଙ୍କୁ ସମାନୁପାତିକ ସଂରକ୍ଷଣ ଦେବାରେ କୌଣସି ବର୍ଗର ଲୋକେ ବିରୋଧ କରିବା ଅବାଂଛିତ ତଥା ଇର୍ଷା-ଦ୍ୱେଷମୂଳକ ବୋଲି ଧରାଯିବ ବୋଲି ବଲାଙ୍ଗିର ଜିଲ୍ଲା ଓବିସି ମଂଚର ସଭାପତି ଶଙ୍କର କୁମାର ପାତ୍ର କହିଛନ୍ତି ।

Leave A Reply

Your email address will not be published.