jayashree

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଦୁଇଦିନ ଧରି ସ୍ଥାନୀୟ ରୟାଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୋନପୁର ବାଲାଜୀ ମନ୍ଦିରରୁ ଆଜ୍ଞାମାଳ ଓ ଯଜ୍ଞଦୀପ ଆଣି କ୍ରୀଡ଼ା ମଞ୍ଚରେ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନପୂର୍ବକ ଖେଳର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ର ଅତିଥି ପରିଚ଼ୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସଭାପତି ଡ. ହରପ୍ରସାଦ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁବ୍ରତ ବିଶି ମଞ୍ଚ ପରି ଚାଳନା କରିଥିଲେ । ବିଦ୍ୟାଳୟର ସଂପାଦକ ଶାନ୍ତନୁ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋପ ଦିବସରେ ସୁବର୍ଣ୍ଣପୁର ଜଙ୍ଗଲ ଅଧିକାରୀ ପ୍ରବୀଣ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ବିଷୟରେ ଉଦବୋଧନ ଦେଇ ଭାଇ ଭଉଣୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ ହେମନ୍ତ କୁମାର ବାଘ ଖେଳର ବୃତ୍ତ ପଠନ କରିଥିଲେ । ଶାନ୍ତନୁ କୁମାର ଯୋଶୀ ଓ ହେମନ୍ତ କୁମାର ବାଘଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଏହି ଦୁଇ ଦିନିଆଁ କାର୍ଯ୍ୟକ୍ରମରେ ମୋଟ ୭୭୫ ଜଣ ପ୍ରତିଯୋଗୀ ଦୌଡ ପ୍ରତିଯୋଗିତା, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଥାଳିଆଫିଙ୍ଗା, ବର୍ଚ୍ଛା ଫିଙ୍ଗା ଇତ୍ୟାଦି ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଶିଶୁ ବାଟିକା ବିଭାଗର ସ୍ୱତନ୍ତ୍ର ଭାବେ ଖେଳ ହୋଇଥିଲା । ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପରିଚାଳନା କ୍ରମେ ଖେଳଗୁଡିକ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ସଭାପତି ଡ. ହରପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମାରୋପ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କଲା ପରେ ଶାନ୍ତି ମନ୍ତ୍ର ପାଠ ପୂର୍ବକ ଦୀପ ବିସର୍ଜନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା । ବିଭିନ୍ନ କ୍ରୀଡ଼ାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀମାନେ ସଂକୁଳ ସ୍ତରୀୟ ଖେଳକୁଦରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.