
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଓ କନ୍ୟାଶିଶୁଙ୍କ ପ୍ରତି ହିଂସା ନିରୋଧ, ସମାନ ଅଧିକାର, ସମ୍ମାନ ଓ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶେରଗଡ଼ ବ୍ଲକ୍ର ଶେରଗଡ଼ ପଞ୍ଚାୟତରେ ‘ଅରେଞ୍ଜ ସଣ୍ଡେ – ଘରୁ ଆରମ୍ଭ ହେଉ ନ୍ୟାୟ’ ଅଭିଯାନ ଆୟୋଜିତ ହୋଇଥିଲା । ଜିଲ୍ଲା ମହିଳା ସଶକ୍ତିକରଣ ହବ୍, ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ବିଭାଗ ଗଞ୍ଜାମର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣାଙ୍କ ଅଧ୍ୟକ୍ଷତାରେ ଏବଂ ଶେରଗଡ଼ ସିଡ଼ିପିଓ ଶ୍ରୀମତୀ ମମତାଞ୍ଜଳି ପଣ୍ଡାଙ୍କ ଆୟୋଜନରେ ଲେଡିଜ୍ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ମହିଳା ସଦସ୍ୟା ଓ ସେମାନଙ୍କ ପରିବାରବର୍ଗଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ମା’ ଶୀତଳାଦେବୀ ମନ୍ଦିରଠାରେ ଜିଲ୍ଲା- ସଂଯୋଜିକାଙ୍କ ଦ୍ୱାରା ସଚେତନତା ପତ୍ରିକା ଓ ହେଲ୍ପଲାଇନ୍ କାର୍ଡ ସ୍ଥାପନ କରି ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଏସ୍ଏଚ୍ଜି ମହିଳା ସଦସ୍ୟାଙ୍କ ଘର ସମ୍ମୁଖରେ ହିଂସାମୁକ୍ତ ସମାଜର ବାର୍ତ୍ତା ଦେଇ ମୁରୁଜ ଓ ଝୋଟିରେ ଚିତ୍ରାଙ୍କନ, କମଳା ରିବନ୍ ବାନ୍ଧିବା ଏବଂ ମହିଳା ଓ କନ୍ୟାଶିଶୁଙ୍କ ସୁରକ୍ଷା ସମ୍ବନ୍ଧୀୟ ହେଲ୍ପଲାଇନ୍ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ୧୦ଟି ପରିବାର ଓ ଶେରଗଡ଼ ଜିପିର ବିଏଲ୍ଏଫ୍ ସଭାପତି ସାମିଲ ହୋଇ ହିଂସାମୁକ୍ତ ପରିବାର ଗଠନ ପାଇଁ ସଂକଳ୍ପ ନେଇଥିଲେ । ପରେ ମା’ ଶୀତଳାଦେବୀ ମନ୍ଦିରଠାରୁ ଶେରଗଡ଼ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ବସ୍ଷ୍ଟାଣ୍ଡ, ଡାକ୍ତରଖାନା, ବ୍ଲକ୍ କାର୍ଯ୍ୟାଳୟ, ଆସିଡିଏସ୍ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସାର୍ବଜନୀନ ସ୍ଥାନରେ ହିଂସା ନିରୋଧ ସଚେତନତା ପତ୍ରିକା ସ୍ଥାପନ କରାଯାଇଥିଲା । ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ‘ମୋ ବସ୍’ରେ ମଧ୍ୟ ପତ୍ରିକା ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅଭିଯାନରେ ଘରୋଇ ହିଂସା, ଯୌତୁକ ନିରୋଧ, ବାଲ୍ୟବିବାହ ନିଷେଧ ଆଇନ ପିସିଏମ୍ଏ ପୋସ୍କୋ, ପୋଷ, ମହିଳା ଚାଲାଣ, ଶିଶୁ ଶ୍ରମ ଓ ମହିଳା-ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହା ସହ ବ୍ରହ୍ମପୁର ସହରାଞ୍ଚଳ -୧, ଓ ୨ ଏବଂ ବୁଗୁଡ଼ା ବ୍ଲକ୍ ଓ ସାନଖେମୁଣ୍ଡି ବ୍ଲକ୍ରେ ମଧ୍ୟ ସିଡ଼ିପିଓ ମାନଙ୍କ ନେତୃତ୍ୱ ଓ ସମ୍ପୃକ୍ତ ଜେଣ୍ଡର ସ୍ପେସିଆଲିଷ୍ଟଙ୍କ ସମନ୍ୱୟରେ ଅରେଞ୍ଜ ସନ୍ଡେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । “ହିଂସାକୁ ନା, ସମ୍ମାନକୁ ହଁ — ନ୍ୟାୟ ଘରୁ ଆରମ୍ଭ” ବାର୍ତ୍ତା ସହ ଏହି ଅଭିଯାନ ମହିଳା ଓ କନ୍ୟାଶିଶୁଙ୍କ ସୁରକ୍ଷା ଏବଂ ହିଂସାମୁକ୍ତ ସମାଜ ଗଠନ ପାଇଁ ଏକ ସାମୂହିକ ସଂକଳ୍ପର ପ୍ରତୀକ ହୋଇଥିଲା ।