
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ସମାଜସେବୀ ଅନୁଷ୍ଠାନ ‘ଉତ୍କଳ ସ୍ନେହୀ ମହିଳା ସମିତି’ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ସଭାଗୃହରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାପତି ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଆଲୋଚକ ଭାବେ ସ୍ୱନାମଧନ୍ୟ ମାନସିକ ଚିକିତ୍ସକ ଡାକ୍ତର ବ୍ରୀଜମୋହନ ସିଂହ ଯୋଗ ଦେଇ ‘ବରିଷ୍ଠ ନାଗରିକଙ୍କ ମାନସିକ ସ୍ଵାସ୍ଥ୍ୟ – ସମସ୍ୟା ଓ ସମାଧାନ’ ଶୀର୍ଷକରେ ଆଲୋଚନା କରି କହିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମାନକ ଅନୁସାରେ ଜଣେ ବ୍ୟକ୍ତି ଶାରୀରିକ, ମାନସିକ, ସାମାଜିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ସୁସ୍ଥ ରହିଲେ ହିଁ ପୂର୍ଣ୍ଣାଙ୍ଗ ସୁସ୍ଥ ବୋଲି କୁହାଯାଇ ପାରିବ । ମାନସିକ ଅବସାଦ ମାନସିକ ସ୍ଵାସ୍ଥ୍ୟକୁ ବହୁ ଭାବରେ ପ୍ରଭାବିତ କରିଥାଏ । ଏଣୁ ମାନସିକ ଅବସାଦର ସଠିକ କାରଣ ନିରୂପଣ କରି ପାରିଲେ ମାନସିକ ରୋଗର ସଫଳ ଉପଚାର କରାଯାଇ ପାରିବ । ସେ ମାନସିକ ରୋଗର ପ୍ରକାର ଭେଦ ସମ୍ପର୍କରେ ବିଶଦ ଆଲୋଚନା କରିବା ସହ ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବରେ ଦେଇଥିଲେ । ସଭାପତି ସବିତା ସାହୁଙ୍କ ସ୍ୱାଗତ ଅଭିଭାଷଣ ପରେ ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥି ପରିଚୟ ସହ ପ୍ରାକ୍ କଥନ ରଖିଥିଲେ । ପାଠାଗାର ସଭାପତି ନବଘନ ସାହୁ ମହିଳା ସମିତିର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନିତା ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସମାଜସେବୀ ‘ଲକ୍ଷ୍ମଣ ନାଥ ଦାସଙ୍କ ସହ ଧର୍ମପତ୍ନୀ ସାବିତ୍ରୀ ଦାସ’ଙ୍କୁ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସବିତା ନନ୍ଦ ମାନପତ୍ର ପାଠ କରିଥିବା ବେଳେ, ବିଜୟଲକ୍ଷ୍ମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୀତା ସେନାପତି, ସୁପ୍ରିୟା ମହାନ୍ତି, ଗୀତାଞ୍ଜଳି ମିଶ୍ର, ନନ୍ଦିତା ପାତ୍ର, ଜ୍ୟୋସ୍ନା ନେପାକ, ଭାରତୀ କର, ଅନିତା ସାହୁ, ସବିତା ନନ୍ଦ, ବିଜୟଲକ୍ଷ୍ମୀ ମିଶ୍ର, ସାବିତ୍ରୀ ଦାସ, ଅଜିତ ବାରୱା ଏବଂ ରମେଶ ଚନ୍ଦ୍ର ସିଂହ ପ୍ରମୁଖ ସହାୟତା କରିଥିବା ବେଳେ ଡାକ୍ତର ମହେଶ ପ୍ରସାଦ ବେହେରା, ଡାକ୍ତର ଶଶୀଭୂଷଣ ନେପାକ, ସନ୍ତୋଷ କୁମାର ମିଶ୍ର, ସୁଧାଂଶୁ ଶେଖର ପଣ୍ଡା, ଯଶୋବନ୍ତ ନନ୍ଦ, ତ୍ରିଲୋଚନ ମିଶ୍ର, ହରିହର ନାୟକ, ଶ୍ରୀନିବାସ ରାୟ, ସୁରେନ୍ଦ୍ର କୁମାର ପଣ୍ଡା, କୈଳାସ ଚନ୍ଦ୍ର ସାମଲ, ଗୋପାଳ ପ୍ରସାଦ ଜେନା, ଦେବରାଜ ଗଉଡ଼, ଉଦୟ କୁମାର ସାହୁ, ମଧୁସୂଦନ ବଳ, ତିଳୋତ୍ତମା ବଳ ଏବଂ ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।