jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

  • ଶିଶୁ ମନ୍ଦିରର ଶିକ୍ଷା ଓ ସଂସ୍କାର ବଳରେ ସଫଳତାର ଶୀର୍ଷରେ ପହଞ୍ଚି ହେବ : ଡେପୁଟି କଲେକ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଟଣାଗଡ଼ ଓ ବେଲପଡ଼ାର ପୂର୍ବତନ ଛାତ୍ରୀ ତଥା ପଦ୍ମପୁର ଉପଖଣ୍ଡର ଡେପୁଟି କଲେକ୍ଟର ଶ୍ରୀମତୀ ଡଲି ମେହେର ଯୋଗ ଦେଇଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶିଶୁ ମନ୍ଦିରର ଶିକ୍ଷା ଓ ସଂସ୍କାର ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇଥାଏ । ଖେଳକୁଦ ଦ୍ୱାରା ଶାରୀରିକ ଓ ମାନସିକ ଦକ୍ଷତାର ବିକାଶ ହୋଇଥାଏ । ଏଥିସହ ସେ ଶିଶୁ ମନ୍ଦିରରେ ଅଧ୍ୟୟନ ସମୟର ନିଜ ଅନୁଭୂତି ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାର୍ଗଦର୍ଶନ ଦେବା ସହ କ୍ରୀଡ଼ା ସମାରୋହର ଉଦ୍‌ଯାପନ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିଦେଶୀ ସାହୁ ଯୋଗଦେଇ କ୍ରୀଡ଼ା ପତାକା ଅବତରଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରୀମତୀ ତପସ୍ୱିନୀ ମେହେର, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜୟନାରାୟଣ ତ୍ରିପାଠୀ, ସଂକୁଳ ପ୍ରମୁଖ ଡ. ଦ୍ୱାଦଶ କୁମାର ପଧାନ, ପୂର୍ବତନ ସଭାପତି ରୋହିତ କୁମାର ମେହେର, ସଭାପତି ପୃଥ୍ୱୀରାଜ ସାହୁ ଓ ସମ୍ପାଦକ ଜନକଲାଲ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ କ୍ରୀଡ଼ା ସମ୍ପର୍କିତ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ବନ୍ଦନା କାର୍ଯ୍ୟକ୍ରମରେ ସମାଜସେବୀ ସୁରେଶ ରାମଚନ୍ଦାନୀ ଓ ପୂର୍ବଛାତ୍ର ପରିଷଦର ଜିଲ୍ଲା ସଭାପତି ଗୁଣମଣି ପଟେଲ ଯୋଗ ଦେଇଥିଲେ । କ୍ରୀଡ଼ା ସମାରୋହରେ ଶିଶୁମାନଙ୍କ ପାଇଁ ଦୌଡ଼, ଡିଆଁ ଖେଳ, ରିଲେ ରେସ୍‌, ଅଙ୍କ ଦୌଡ଼, ପୁଚି ଖେଳ, ସାଇକେଲ ଧୀର ଚାଳନା ଓ ମ୍ୟୁଜିକ୍ ଚୌକି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶିଶୁ ବାଟିକା ବିଭାଗର କୁନି କୁନି ଶିଶୁମାନଙ୍କ ପାଇଁ ମଧ୍ୟ ମଜାଦାର ଖେଳର ବ୍ୟବସ୍ଥା ହୋଇଥିଲା । ଏଥିସହ ପୂର୍ବତନ ଛାତ୍ର ଓ ଅଭିଭାବକ ମାନଙ୍କ ପାଇଁ ୧୦୦ ମିଟର ଦୌଡ଼ ଏବଂ ଅଭିଭାବିକାମାନଙ୍କ ପାଇଁ ବାଟି-ଚାମଚ ଖେଳ ଆୟୋଜିତ ହୋଇଥିଲା । ଏହି ଅବସରରେ ସାମ୍ବାଦିକ ବନ୍ଧୁ, ପୁରାତନ ଛାତ୍ର ସୁନୀଲ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ, ଅଖିଳ ପଟ୍ଟନାୟକ, ରିତେଶ ମେହେର, ଅନ୍ତର୍ଯ୍ୟାମୀ ମେହେରଙ୍କ ସମେତ ବହୁ ଛାତ୍ରଛାତ୍ରୀ, ମାତୃଭାରତୀର ସଭ୍ୟା, ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.