
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ନୂଆ ଦିଗ ଦେବାକୁ ବଡ଼ ପଦକ୍ଷେପ । ଏନେଇ ବିଧାନସଭା ସଚିବାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ । ଏହି ସାକ୍ଷାତକାର ସମୟରେ ଇସ୍ପାତ ସହରାଞ୍ଚଳ, ସାରନଗରୀ ସମେତ ସମଗ୍ର ରାଉରକେଲାର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ ବିଧାୟକ । କୋଏଲ ନଦୀ କୂଳରେ ଝିରପାଣିଠାରୁ ପାନପୋଷ ପର୍ଯ୍ୟନ୍ତ ରିଭରସାଇଡ୍ ରିଙ୍ଗ୍ ରୋଡ୍ ନିର୍ମାଣ ସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଗ୍ରେଟର ରାଉରକେଲା ଯୋଜନାରେ ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ ଏବଂ ଏକ ଅତ୍ୟାଧୁନିକ ମଡେଲ ବସ୍ଷ୍ଟାଣ୍ଡ ସ୍ଥାପନ ପାଇଁ ଦାବି ଜଣାଇଥିଲେ । ସେହିପରି ରାଉରକେଲାରେ ସରକାରୀ ବିଶ୍ୱବିଦ୍ୟାଳୟ ସହ ଆଦିବାସୀ ବହୁଳ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ, ଲାଠିକଟା ବ୍ଲକର ୭ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ସ୍ଥାନରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହାସହ ଗରିବ ଓ ବାସହୀନ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବା ପାଇଁ ବହୁତଳ ବିଶିଷ୍ଟ ଆବାସ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ ବିଧାୟକ । ଅଞ୍ଚଳବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ରାଉରକେଲାର ସାମଗ୍ରିକ ବିକାଶ ଦିଗରେ ଏହି ସମସ୍ତ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଦୁର୍ଗା ତନ୍ତୀ ।