jayashree

ଝରନିପାଲିରେ “ମହକ” କିଶୋରୀ ମହୋତ୍ସବ ଉଦ୍‌ଘାଟିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରନିପାଲି ହାଇସ୍କୁଲ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ଆନୁକୂଲ୍ୟରେ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସହଯୋଗରେ ମହକ କିଶୋରୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଡଟିକା, ଝରନିପାଲି ଓ ନୁନିଆପାଲି ପଞ୍ଚାୟତ ଅଧୀନ ଗ୍ରାମାଞ୍ଚଳରୁ ଶତାଧିକ କିଶୋରୀ ଯୋଗ ଦେଇଥିଲେ । ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ଅଭିଜିତ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଝରନିପାଲି ସରପଞ୍ଚ ସୁନିତା ସାହୁ, ନୁନିଆପାଲି ସରପଞ୍ଚ ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଜାତା ଦୋରା, ଡିସିପିଓ ବିକ୍ରମ ପଣ୍ଡା, ମମତା ଯୋଜନା ଜିଲ୍ଲା ସଂଯୋଜିକା ଶିବାନୀ ଠାକୁର, ଆଇସିଡ଼ିଏସ ପରିଦର୍ଶକା ଅଞ୍ଜଳି ମିଶ୍ର ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହକୁ ରୋକିବା ଦିଗରେ ସମସ୍ତଙ୍କ ସହଯୋଗ କାମନା ପୂର୍ବକ ଶିଶୁ ତଥା କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ସେମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବାଲ୍ୟ ବିବାହକୁ ରୋକିବା ସକାଶେ ସାମୁହିକ ଶପଥ ପାଠ କରାଯାଇଥିଲା । ଗତ ଏକବର୍ଷ ମଧ୍ୟରେ କିଶୋରୀ ମାନଙ୍କ ଦ୍ୱାରା ଗ୍ରାମସ୍ତରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ, ଉଦ୍ୟମ ଓ ସଫଳତାକୁ କିଶୋରୀମାନେ ନିଜେ ଉପସ୍ଥାପନ କରିଥିଲେ । ଏଥିସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ହିରାଲାଲ ମିଶ୍ର, ଗୋବିନ୍ଦ ବିଶି, ପ୍ରହ୍ଲାଦ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ଏହି ମହୋତ୍ସବ ଉଦ୍‌ଯାପିତ ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.