
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ଅନ୍ତର୍ଗତ ମଦନପାଲି ନିକଟ ସୋନଗଡ ନଦୀକୂଳ ପାଖ ଚାଷ ଜମିରେ କାର୍ଯ୍ୟ ଚାଲିଥିବା ସମୟରେ ବିଲ ନିକଟରେ ତଳକୁ ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ଏବେ ଚାଷୀ ଓ ଲୋକଙ୍କ ପାଇଁ ବଡ଼ ବିପଦ ପାଲଟିଛି । ତାରଗୁଡ଼ିକ ଅତ୍ୟନ୍ତ ତଳକୁ ଝୁଲି ରହିଥିବା ସହ ଆଖପାଖ ଗଛଲତା ଓ ଡାଳପତ୍ର ସଂସ୍ପର୍ଶରେ ଆସୁଥିବାରୁ ଯେକୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଚାଷୀମାନେ ନିଜ ବିଲକୁ ଯିବାଆସିବା କରୁଥିବା ବେଳେ ମୁଣ୍ଡ ଉପରେ ଓ ନିକଟରେ ଝୁଲି ରହିଥିବା ଏହି ବିଦ୍ୟୁତ୍ ତାର ଦେଇ ଭୟଭୀତ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଚାଷ କାମରେ ବ୍ୟବହୃତ ଯନ୍ତ୍ରପାତି, ବଳଦ ବା ଟ୍ରାକ୍ଟର ଚଳାଚଳ ସମୟରେ ତାର ସଂସ୍ପର୍ଶରେ ଆସିବାର ଭୟ ରହିଥିବା ନେଇ ଚାଷୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ବିପଦପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଦୀର୍ଘ ୪ ଦିନ ପୂର୍ବରୁ ମଦନପାଲିର ଜନୈକ ଯୁବକ ବିଦ୍ୟୁତ୍ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ମରାମତି ପାଇଁ ପଦକ୍ଷେପ ନେଇନାହାନ୍ତି । କୌଣସି ଅଘଟଣ ଘଟି କାହାରି ଜୀବନ ଗଲା ପରେ ବିଭାଗର ନିଦ ଭାଙ୍ଗିବ ବୋଲି ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ବିଦ୍ୟୁତ୍ ବିଭାଗ ଉକ୍ତ ଝୁଲନ୍ତା ତାରକୁ ଉପରକୁ ଉଠାଇ ସୁରକ୍ଷିତ କରିବାକୁ ସାଧାରଣରେ ଦାବି ହେଉଛି ।