
କୁନି ବୈଜ୍ଞାନିକଙ୍କ ସୃଜନଶୀଳତାରେ ଝଲସିଲା ଜାମୁଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ : ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ୧୭୨ ପ୍ରତିଭାଙ୍କ ସମାଗମ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କୁନି ବୈଜ୍ଞାନିକମାନଙ୍କ ନୂତନ ଚିନ୍ତାଧାରା ଓ ଉଦ୍ଭାବନୀ ଶକ୍ତିର ନିଦର୍ଶନ ଦେଖିବାକୁ ମିଳିଛି ମୁରିବାହାଲ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ । ଶୁକ୍ରବାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜାମୁଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ଭବ୍ୟ ଜ୍ଞାନ-ବିଜ୍ଞାନର ମହାକୁମ୍ଭ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ କମ୍ବୁଧର ଛୁରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ଓ ବୈଜ୍ଞାନିକ ସମାରୋହରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ହିଁ ସମାଜକୁ ପ୍ରଗତି ପଥରେ ଆଗେଇ ନେବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁରିବାହାଲ ପଞ୍ଚାୟତ ସମିତି କଲେଜର ଓଡ଼ିଆ ଅଧ୍ୟାପକ ଦିଲ୍ଲୀପକୁମାର ପଶାୟତ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜ୍ଞାନ ଓ ମାନବ କଲ୍ୟାଣ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର କୁଅଁର, ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଞ୍ଚୁ ଦୀପ, ବ୍ଲକ ବିଜ୍ଞାନ ସମିତିର ଆବାହକ ଶ୍ରୀମନ୍ତ କୁମାର ନାୟକ, ବିଜ୍ଞାନ ସମିତି ସଂଯୋଜକ ପ୍ରମୋଦ କୁମାର ତ୍ରିପାଠୀ ଓ ଏସଏମସି କମିଟି ଅଧ୍ୟକ୍ଷା ଭୂମିସୂତା ସୁନା ମଞ୍ଚାସୀନ ରହି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀରେ ସମଗ୍ର ବ୍ଲକ୍ରୁ ମୋଟ ୧୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତ କୁନି ପ୍ରତିଭା ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏଥିମଧ୍ୟରେ ପ୍ରାଥମିକ ବିଭାଗରୁ ୮ଟି, ବାଲ୍ ବୈଜ୍ଞାନିକ ବିଭାଗରୁ ୧୨୬ଟି, ପିଏମ୍ ଶ୍ରୀ ବିଭାଗରୁ ୨୦ଟି ଏବଂ ଶକ୍ତି କ୍ଲବ୍ ବିଭାଗରୁ ୧୮ଟି ପ୍ରକଳ୍ପ ପଞ୍ଜୀକରଣ ହୋଇଥିଲା । ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ୭ଟି ଉପ-ବିଷୟ ଉନ୍ନତ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ସବୁଜ ଶକ୍ତି ଓ ପରିବେଶ ସଂରକ୍ଷଣ, ଗାଣିତିକ ମଡେଲିଂ ଓ ଗଣନାତ୍ମକ ଚିନ୍ତନ, ସ୍ୱାସ୍ଥ୍ୟ-ସ୍ୱଚ୍ଛତା ଓ ପରିମଳ, ପାରମ୍ପରିକ କୃଷି ପଦ୍ଧତି, ବିଜ୍ଞାନ ଓ ଗ୍ରାମୀଣ ରୂପାନ୍ତରଣ ଓ ବିପର୍ଯ୍ୟୟ ପରିଚାଳନା ଆଧାରିତ ବିଭିନ୍ନ ଆକର୍ଷଣୀୟ ତଥା ସମାଜ ଉପଯୋଗୀ ପ୍ରକଳ୍ପ ପ୍ରଦର୍ଶନ କରି ଅତିଥି ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାଙ୍କନ ପରେ ପ୍ରତ୍ୟେକ ଉପ-ବିଷୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ମୋଟ ୭ଟି ପ୍ରକଳ୍ପକୁ ଚୟନ କରାଯାଇ ଆଗାମୀ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ପ୍ରେରଣ କରାଯାଇଥିଲା । ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଭୋଇପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ବ୍ଲକ୍ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ପଞ୍ଚାୟତ ପ୍ରତିନିଧି, ବିଦ୍ୟାଳୟ କର୍ମଚାରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ ଇଚ୍ଛାପଡ଼ା ହାଇସ୍କୁଲ ଶିକ୍ଷକ ଅରବିନ୍ଦ ଦାସ ଧନ୍ୟବାଦ ଦେଇଥିଲେ ।