
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁରିବାହାଲ ପରିସରରେ ଏକ ଆକର୍ଷଣୀୟ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ନବସୃଜନର ଭାବନାକୁ ଉତ୍ସାହିତ କରିବା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରୋଶନ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ପ୍ରଦର୍ଶନୀରେ ସମୁଦାୟ ୩୫ଜଣ ଛାତ୍ରଛାତ୍ରୀ; ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ, ବର୍ଷାଜଳ ଅମଳ, ସୌରଶକ୍ତି, ଜୈବିକ କୃଷି, ବର୍ଜ୍ୟବସ୍ତୁ ପରିଚାଳନା, ଜଳବାୟୁ ପରିବର୍ତ୍ତନ, ମାନବ ଶରୀର ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଦି ବିଷୟ ଉପରେ ବିଭିନ୍ନ ମଡେଲ୍ ଓ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗୀ ନିଜ ନିଜ ପ୍ରକଳ୍ପର କାର୍ଯ୍ୟପ୍ରଣାଳୀ, ବୈଜ୍ଞାନିକ ତତ୍ତ୍ୱ ଓ ଉପଯୋଗିତା ସମ୍ପର୍କରେ ସୁନ୍ଦର ଭାବରେ ବୁଝାଇଥିଲେ । ବିଚାରକ ଭାବରେ ପଦାର୍ଥ ବିଜ୍ଞାନ ଶିକ୍ଷକ ଆଲୋକ କୁମାର ଦାଶ, କମ୍ପ୍ୟୁଟର ବିଜ୍ଞାନ ଶିକ୍ଷକ ସୁନୀଲ କୁମାର ନାଏକ, ଗଣିତ ଶିକ୍ଷୟିତ୍ରୀ ସୁଶ୍ରୀ ରିଙ୍କି ହରିପାଲ ଏବଂ ରସାୟନ ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ସଂଘମିତ୍ରା କର୍ମୀ ପ୍ରକଳ୍ପଗୁଡ଼ିକର ନୂତନତ୍ୱ, ବୈଜ୍ଞାନିକ ଆଧାର, ଉପଯୋଗିତା, ସୃଜନଶୀଳତା ଓ ଉପସ୍ଥାପନା ଶୈଳୀକୁ ଆଧାର କରି ମୂଲ୍ୟାୟନ କରିଥିଲେ । ଆୟୁଷ କୁମାର ମହାନନ୍ଦ, ବିବେକ କୁମାର ତାଣ୍ଡି, ସ୍ନିତି ମିଶ୍ର, ଅନାମିକା ରଣା ଏବଂ ରାଧାରାଣୀ ସାହୁଙ୍କ ପ୍ରକଳ୍ପଗୁଡ଼ିକୁ ଶ୍ରେଷ୍ଠ ପ୍ରକଳ୍ପ ଭାବେ ବିଚାର କରି ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ- ପ୍ରଭାସ ରଞ୍ଜନ ମେହେର, ଅରବିନ୍ଦ ବନଛୋର, ହିମାଂଶୁ ଭୁଏ, ଶଙ୍କର ରାଉତ, ବିଘ୍ନରାଜ ବାରିକ, ସୁବ୍ରତ କୁମାର ବଗର୍ତି, ଅଜିତ ମହାକୁର, ରାଜୀବ ପୁଟେଲ, ସ୍ୱରୂପ ଠାକୁର, ଅସୀମ ପଟେଲ, ଆକାଶ ହରପାଲ, ସୁନନ୍ଦ ପଧାନ, କିଶୋର ଚନ୍ଦ୍ର ମୁଦୁଲି, ପ୍ରଦୀପ ନନ୍ଦ ଓ ଡୋଳାମଣୀ ବାଗ, ଦିବ୍ୟ ବାରିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ପରିଶେଷରେ ଓଡ଼ିଆ ଶିକ୍ଷକ ଶଙ୍କର ରାଉତଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।