jayashree

ରାଉରକେଲାରେ ଏଆଇ ଫଟୋ ଅପବ୍ୟବହାର ମାମଲାରେ ୨ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୯ ଥାନା ପୁଲିସ ଜଣେ ଯୁବତୀଙ୍କ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରି ଅଶ୍ଳୀଳ ଫଟୋ ବନାଇ ସୋସିଆଲ୍ ମିଡିଆରେ ପ୍ରଚାର କରିବା ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଅଭିଯୋଗକାରିଣୀ ଜାସିକା ଦୀପ୍ (୨୧) ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ବିନା ଅନୁମତିରେ ତାଙ୍କ ଫଟୋକୁ ବ୍ୟବହାର କରି ନକଲି ଏଆଇ ଅଶ୍ଳୀଳ ଫଟୋ ତିଆରି କରାଯାଇଛି । ସେହି ଫଟୋକୁ ବିକିନି ଭଳି ଡ୍ରେସ୍ ପିନ୍ଧା ଅବସ୍ଥାରେ ଦେଖାଇ ନକଲି ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଏବଂ ଫେସ୍‌ବୁକ୍ ଆକାଉଣ୍ଟରେ ପ୍ରଚାର କରାଯାଉଥିଲା । ଏଥିପାଇଁ ସେ କେବେ ଅନୁମତି ଦେଇ ନଥିଲେ ବୋଲି ସେ କହିଛନ୍ତି । ଏହି ଅଭିଯୋଗ ଆଧାରରେ ସେକ୍ଟର-୧୯ ଥାନାରେ କେସ୍ ନଂ-୨୧୦, ତା ୦୩.୧୦.୨୦୨୬ ରୁଜୁ ହୋଇଥିଲା । ମାମଲାରେ ବିଏନ୍‌ଏସ୍ ଧାରା ୭୭/ ୭୯/ ୩୩୬(୪)/ ୩୪୦(୨)/ ୩(୫) ସହ ଆଇଟି ଆକ୍ଟ ଧାରା ୬୬(ଇ)/୬୭ ଲାଗିଛି । ତଦନ୍ତ ପରେ ପୁଲିସ ଗଙ୍ଗାଧରପଲ୍ଲୀ, ଲକ୍ଷ୍ମୀ ମାର୍କେଟ୍, ଆର୍.ଏନ୍ ପଲ୍ଲୀ, ରାଉରକେଲାର ବାବୁ ଖାଁ (୩୭) ଏବଂ ସାହିଦ୍ ଖାଁ (୧୯)ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଓପୋ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ନିର୍ଦ୍ଦେଶ ଓ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଏସ୍‌ଆଇ ମନୋରଞ୍ଜନ ପରିଡା ଓ କମ୍ପ୍ୟୁଟର ଚାଳକ ରୁଦ୍ରାଦିତ୍ୟ ପାଢ଼ୀଙ୍କ ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ଇତିହାସ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି ।

Leave A Reply

Your email address will not be published.