jayashree

ଘରେ ତାଲା ଭାଙ୍ଗି ସୁନା ଓ ଟଙ୍କା ଚୋରି ଘଟଣା

  • ଛତ୍ରପୁର ପୁଲିସର ସଫଳତା, ୨ ଅଭିଯୁକ୍ତ ଗିରଫ

ଛତ୍ରପୁର, (କେପିଏନ୍‌ଏସ୍‌) : ବନ୍ଦ ଘରର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଚୋରି ଘଟଣାରେ ଛତ୍ରପୁର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପୁରୁଣା ଛତ୍ରପୁର ଗ୍ରାମର କାହ୍ନା ଓରଫ କେଶବ ବେହେରା ଏବଂ ବାଲି ଓରଫ ଜି. ଚନ୍ଦନ ରାଓ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ସୁନା ମଙ୍ଗଳସୂତ୍ର, ଗୋଟିଏ ହଳ କାନଫୁଲ, ୫ ହଜାର ଟଙ୍କା ଓ ଗୋଟିଏ ସୁଜୁକି ମୋଟରସାଇକେଲ ଜବତ କରିଛି। ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁସାରେ, ଗତ ୨୦ ଓ ୨୧ ତାରିଖ ମଧ୍ୟରାତ୍ରିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା (୪୬) ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କ ଘରର ତାଲା ଭାଙ୍ଗି କେହି ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ନେଇଥିଲେ। ଘଟଣା ସମ୍ପର୍କରେ ବିନତି ଗତ ୨୩ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୫୮୬/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହି ଚୋରି ଘଟଣାରେ ସେହି ଗ୍ରାମର ଦୁଇ ଜଣଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ସେମାନଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଚୋରି ହୋଇଥିବା ସୁନା ମଙ୍ଗଳସୂତ୍ର ଓ କାନଫୁଲକୁ ବ୍ରହ୍ମପୁରସ୍ଥିତ ମଣିପୁରମ୍ ଗୋଲ୍ଡରେ ବନ୍ଧକ ରଖାଯାଇଥିବା ଜଣାପଡ଼ିଥିଲା। ପୁଲିସ ସେଠାରୁ ମଧ୍ୟ ଅଳଙ୍କାରଗୁଡ଼ିକୁ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଏଭଳି ଅପରାଧ ସମ୍ପର୍କିତ ମାମଲା ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.