
- ୫୮୪ଟି ଅନିୟମିତ ଆର୍ଥିକ କାରବାର ଚିହ୍ନଟ, ୧୨ ପାସ୍ବୁକ୍, ୧୦ ଏଟିଏମ୍ କାର୍ଡ ସମେତ ବିଭିନ୍ନ ସାମଗ୍ରୀ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ କୋଟି ୮୧ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପୂର୍ବତନ ବିଲ୍ ପ୍ରକ୍ରିୟାକରଣ ଦାୟିତ୍ୱରେ ଥିବା ଦୀପକ କୁମାର ସାହୁ (୩୬)ଙ୍କୁ ଖପ୍ରାଖୋଲ ପୁଲିସ ଗିରଫ କରିଛି । ପୁଲିସ ତଦନ୍ତରେ ଦରମା ଓ ଅନ୍ୟାନ୍ୟ ଦେୟ ପ୍ରଦାନରେ ୫୮୪ଟି ଅନିୟମିତ କାରବାର ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ଏଚ୍ଆର୍ଏମ୍ଏସ୍ରେ ପଞ୍ଜୀକୃତ ବ୍ୟାଙ୍କ ଖାତା ବଦଳରେ ଅନ୍ୟ ଖାତାକୁ ଅର୍ଥ ଜମା କରାଯାଇଥିଲା । ୨୦୧୮ରୁ ୨୦୨୫ ପର୍ୟ୍ୟନ୍ତ ସିଏଚ୍ସିରେ ଦାୟିତ୍ୱରେ ଥିବା ସମୟରେ ଅଭିଯୁକ୍ତ ଏହି କାରବାର କରିଥିବା ଅଭିଯୋଗ ହୋଇଛି । ନଭେମ୍ବର ୨୨ ତାରିଖରେ ପୁଲିସ ତାଙ୍କୁ ଗିରଫ କରି ୧୨ଟି ବ୍ୟାଙ୍କ ପାସ୍ବୁକ୍, ୧୦ଟି ଏଟିଏମ୍ କାର୍ଡ, ୮ଟି ଚେକ୍ବୁକ୍, ଗୋଟିଏ ପାସ୍ପୋର୍ଟ, ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଥାନା ଆଇଆଇସି ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏହି କାର୍ୟ୍ୟାନୁଷ୍ଠାନ କରିଛି । ତେବେ ସାତ ବର୍ଷରୁ ଅଧିକ ସମୟ ଧରି ଏତେ ବଡ଼ ଆର୍ଥିକ ଅନିୟମିତତା କିପରି ଚାଲିଥିଲା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ଏବେ ତଦନ୍ତର ମୁଖ୍ୟ ପ୍ରଶ୍ନ । ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗର ଆର୍ଥିକ ତଦାରଖ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଛି ।