
- ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା, ୭ ବର୍ଷରେ ୨୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ
ବାରିପଦା, (ଦେବସ୍ମିତ ଚୌଧୁରୀ) : କ୍ରୀଡ଼ା କେବଳ ପଦକ ଜିତିବାର ମାଧ୍ୟମ ନୁହେଁ, ବରଂ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ଭବିଷ୍ୟତ ଗଢ଼ିବାର ଏକ ଶକ୍ତିଶାଳୀ ଆଧାର । ଏହି ଲକ୍ଷ୍ୟ ନେଇ ୨୦୧୯ ମସିହାରୁ କାର୍ଯ୍ୟ କରିଆସୁଥିବା ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ସପ୍ତମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ବାରିପଦାସ୍ଥିତ ସହିଦ ସ୍ମୃତି ଭବନରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀର ସଫଳତାକୁ ପ୍ରଶଂସା କରିବା ସହ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମାରୋହରେ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିବା ପାର୍ବତୀ ହାଁସଦା ଓ ସନ୍ଧ୍ୟାରାଣୀ ଟୁଡୁଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଏସିଆ ରଗ୍ବୀ ଅଣ୍ଡର-୨୦ ମହିଳା ଚାମ୍ପିଅନସିପ୍ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ସୁମିତ୍ରା ମୁର୍ମୁ ଏବଂ ରଗ୍ବୀ ପ୍ରିମିୟର ଲିଗ୍ରେ ଅଂଶଗ୍ରହଣ କରିଥିବା ସୁନୀତା ହାଁସଦାଙ୍କ ସମେତ ଏକାଡେମୀର ଅନ୍ୟ ଜାତୀୟସ୍ତରର ଖେଳାଳିଙ୍କୁ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା । ୨୦୧୯ରେ ଆରମ୍ଭ ହୋଇଥିବା ଏକାଡେମୀ ଗତ ସାତ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ଏକାଡେମୀର ୪୨ ଜଣ ଖେଳାଳି ଜାତୀୟ ସ୍ତରରେ ଏବଂ ୪ ଜଣ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଏଥିସହ ଖେଳାଳିମାନେ ୨୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବିଶେଷକରି ଆଦିବାସୀ ଓ ଅବହେଳିତ ବର୍ଗର ପିଲାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ଦେଇ ଏକାଡେମୀ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକ, ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାର୍ଣ୍ଡି, ସାମାଜିକ କର୍ମୀ ରାକେଶ ସିଂହ, ନିର୍ଦ୍ଦେଶକ ଅମର ସେଠୀ, ଲବ ହାଁସଦା, ଧୀରେନ୍ଦ୍ରନାଥ ହେମ୍ବ୍ରମ, ଗୌରବ ମୋଦୀ, ଋଷଭ ଅଗ୍ରୱାଲ, ଗୁରୁଜ୍ୟୋତି ପାଠୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗୀରଥି ମଲ୍ଲିକ, ଡ. ରଞ୍ଜନ କୁମାର ତରାଇ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଦାଶରଥ ମହାନ୍ତ ଓ ସୋମନାଥ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଭାରତୀୟ ଅଣ୍ଡର-୨୦ ରଗ୍ବୀ ଦଳର କୋଚ୍ କ୍ୟାନ୍ ଫ୍ୟୁରୀଙ୍କ ଉପସ୍ଥିତି ମଧ୍ୟ କାର୍ୟ୍ୟକ୍ରମକୁ ଅଧିକ ଉତ୍ସାହପ୍ରଦ କରିଥିଲା। ଏକାଡେମୀର ଏହି ସଫଳ ଯାତ୍ରାରେ ସହଯୋଗ କରିଥିବା ପ୍ରାୟୋଜକ ଓ ସହଯୋଗୀ ସଂସ୍ଥାଗୁଡ଼ିକୁ ମଧ୍ୟ କୃତଜ୍ଞତା ଜଣାଯାଇଥିଲା। ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସମସ୍ତ ଅତିଥି, ଖେଳାଳି, ପ୍ରାୟୋଜକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, କ୍ରୀଡ଼ା ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା, ଆତ୍ମବିଶ୍ୱାସ ଓ ଉନ୍ନତ ଭବିଷ୍ୟତ ପ୍ରଦାନ କରିବା ହିଁ ଏକାଡେମୀର ମୁଖ୍ୟ ଲକ୍ଷ୍ୟ। ସାତ ବର୍ଷର ସଂଘର୍ଷ ଓ ସଫଳତାକୁ ସାଥୀ କରି ଆଗକୁ ବଢ଼ୁଥିବା ଏକାଡେମୀର ଏହି ଯାତ୍ରା ଆଗାମୀ ଦିନରେ ଅନେକ ନୂଆ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବାର ଆଶା ଜାଗ୍ରତ କରିଛି।