
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶାରେ ଅକ୍ଟୋବର ୨୬ ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ କରାଯାଉଛି । ଏହି ଅବସରରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ ଓ ନାଗରିକମାନଙ୍କୁ ସାଧୁତା, ସଚ୍ଚୋଟତା ଏବଂ ନିଷ୍ଠାର ଶପଥ ଗ୍ରହଣ କରାଇଥିଲେ । ବଲାଙ୍ଗିରରୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଆଭାଷୀ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶପଥ ପାଠ କରିଥିଲେ । ଏହି ଅବସରରେ ଉପ-ଆରକ୍ଷୀ ଅଧିକ୍ଷକ (ଭିଜିଲାନ୍ସ) ପୁଲସ୍ତି ଛତ୍ରିଆ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ନିବେଦିତା ସ୍ଵାଇଁ, ଶୋଭିନା ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ସହକାରୀ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହାଛଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ତଥା ସରକାରୀ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ଆଭାଷୀ ମାଧ୍ୟମରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କେନ୍ଦ୍ରୀୟ ସତର୍କତା ଆୟୋଗ ଦ୍ୱାରା ନିର୍ଦ୍ଧାରିତ ମୂଳ ବିଷୟବସ୍ତୁ “ସାଧୁତାରୁ ସମୃଦ୍ଧି” କୁ ଆଧାର କରି ଏହି ସପ୍ତାହ ପାଳନ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଧାସଳଖ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ ।