
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ସହ ଶିଶୁ ଶ୍ରମିକ ପ୍ରଥାର ସଂପୂର୍ଣ୍ଣ ବିଲୋପ ନେଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏହି କ୍ରମରେ ଜିଲ୍ଲା ଶ୍ରମ ବିଭାଗର ସହଯୋଗରେ ଖଣ୍ଡପଡ଼ା ସହରରେ ସୋମବାର ଏ ସଂର୍ପକିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶିଶୁମାନଙ୍କୁ ଶ୍ରମିକ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ନ କରିବା ନେଇ ସର୍ବସାଧାରଣଙ୍କୁ ସଚେତନ କରାଯାଇଥିଲା । ହାତରେ ପ୍ଲାକାର୍ଡ ଧରି ଏକାଧିକ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯଦି କୌଣସି ସ୍ଥାନରେ କିମ୍ବା ସଂସ୍ଥାରେ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିବା ନେଇ ନଜରକୁ ଆସେ ତାହେଲେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ସେହିପରି ଶିଶୁ ଶ୍ରମିକମାନଙ୍କ ସଂର୍ପକରେ ଯଦି କୌଣସି ବ୍ୟକ୍ତି କିଛି ସୂଚନା ପାଆନ୍ତି, ତାହେଲେ ତୁରନ୍ତ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇବାକୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିବା ଜଣାପଡିଛି ।