
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିଛି କ. ନୂଆଗାଁ ପୋଲିସ । ପୋଲିସ ପେଟ୍ରୋଲିଂ ସମୟରେ ଦାରିଙ୍ଗବାଡ଼ି ଛକରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ, କ. ନୂଆଗାଁ ଥାନା ପୋଲିସ ଦଳ ପେଟ୍ରୋଲିଂ କରୁଥିବା ବେଳେ ଦାରିଙ୍ଗବାଡ଼ି ଛକରେ ଜଣେ ମହିଳା ଜରି ଅଖା ଧରି ବସ୍କୁ ଅପେକ୍ଷା କରିଥିବା ଦେଖିଥିଲା । ତାଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ଅଖା ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଖା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ତାହାକୁ ଜବତ କରାଯାଇଥିଲା । ପରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏହାର ପରିମାଣ ୨୨ କେଜି ବୋଲି ଜଣାପଡ଼ିଥିଲା । ଗିରଫ ମହିଳା ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ତେହେଟା ଗ୍ରାମର ରାନୁଲାଇଲା ଖାତୁନ (୩୩) ବୋଲି ପୋଲିସ ସୂଚନା ଦେଇଛି । ସେ ଗଞ୍ଜେଇକୁ ପଶ୍ଚିମବଙ୍ଗକୁ ନେବା ପାଇଁ ବସ୍କୁ ଅପେକ୍ଷା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଏହି ଚଢ଼ାଉରେ କ. ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନାଙ୍କ ସହ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଏଏସ୍ଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ । ଏ ସଂକ୍ରାନ୍ତରେ କ. ନୂଆଗାଁ ଥାନାରେ କେସ୍ ନଂ ୧୬୪/୨୬ ଅନୁଯାୟୀ ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।