jayashree

ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ଅଭିଯୋଗରେ ଜେଲ ଗଲେ ଯୁବତୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାରୁ ମିଳିଥିବା ସୂଚନା ଅନୁଯାୟୀ ଇନ୍‌ଷ୍ଟାଗ୍ରାମ୍‌ରେ ନକଲି ଆଇଡି ଖୋଲି ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଥିବା ଅଭିଯୋଗରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପୋଲିସ ଗିରଫ କରିଛି । ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ନନ୍ଦିତା ମହାଙ୍କୁଡ଼ ନାମକ ଯୁବତୀଙ୍କୁ ଅକ୍ଟୋବର ୨୩ ତାରିଖ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍‌ରେ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୦ ତାରିଖରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୁକ୍ତା ଓ ପୀଡ଼ିତ ଉଭୟେ ଲକ୍ଷ୍ମୀପୁର ଗ୍ରାମର ପଡ଼ୋଶୀ ବୋଲି ତଦନ୍ତରୁ ଜଣାପଡ଼ିଛି । ପୂର୍ବ ଶତ୍ରୁତା ଓ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭିଯୁକ୍ତା ନିଜ ମୋବାଇଲ୍‌ରେ ଏକାଧିକ ଇନ୍‌ଷ୍ଟାଗ୍ରାମ୍‌ ଆଇଡି ଖୋଲିଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ଗୋଟିଏ ଆଇଡି ଜରିଆରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ପ୍ରାୟ ୫ରୁ ୬ ମାସ ଧରି ଇନ୍‌ଷ୍ଟାଗ୍ରାମ୍‌ରେ ଚାଟିଂ ହେବା ପରେ ଅଭିଯୁକ୍ତା ଯୁବକଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ମାଗିଥିଲେ । ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ସମୟରେ ମେଟା ପକ୍ଷରୁ ମିଳିଥିବା ତଥ୍ୟ ଓ ଆଇପି ଠିକଣା ସମ୍ପର୍କିତ ସୂଚନା ଆଧାରରେ ସମ୍ପୃକ୍ତ ଇନ୍‌ଷ୍ଟାଗ୍ରାମ୍‌ ଆଇଡିର ବ୍ୟବହାରକାରୀଙ୍କ ସମ୍ପର୍କରେ ତଥ୍ୟ ମିଳିଥିବା ପୋଲିସ୍ କହିଛି । ଅଭିଯୁକ୍ତାଙ୍କ ନିକଟରୁ ବିନା ସିମ୍‌କାର୍ଡରେ ଥିବା ଏକ ରିଅଲ୍‌ମି ସ୍ମାର୍ଟ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ତଦନ୍ତରେ ପ୍ରାଥମିକ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.