
ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚେରଙ୍ଗାଝାଞ୍ଜ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷକ ସହଦେବ ମାଝୀ, ନିତ୍ୟାନନ୍ଦ ସୁନା ଓ ବିକ୍ରମ କେଶରୀ ପଟେଲ ଉପସ୍ଥିତ ଥିଲେ । ଦ୍ୱିତୀୟ ଅଧିବେଶନରେ ଏବିଇଓ ରାଧେଶ୍ୟାମ ମେହେର ଓ ବରତୁଣ୍ଡା ସରପଞ୍ଚ ରୀତା ସୁନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାର ବିକାଶ ଦିଗରେ ଉତ୍ସାହିତ କରିଥିଲେ । ଏହି ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ଓ ସିଏମ୍, ଚିତ୍ରକଳା ଓ ଶିଳ୍ପକଳା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସେହିପରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର କୁନି କୁନି ପିଲାମାନଙ୍କ ପାଇଁ ଚିତ୍ରାଙ୍କନ, ଗଳ୍ପ କଥନ, ଗଣିତ ଦୌଡ଼ ଓ ଗଣିତ କୁଇଜ୍ ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଗ୍ରସେନ ପ୍ରଧାନଙ୍କ ସଂଯୋଜନାରେ ଏବଂ ପ୍ରଧାନଶିକ୍ଷକ ସହଦେବ ଦାଉଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ମାଧବ ପୁରୋହିତ ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।