
ଆଗାମୀ ଛାତ୍ର ସଂସଦରେ କୋଶଳାଂଚଳର ସବୁ ଛାତ୍ରଛାତ୍ରୀ କୋଶଳ ପ୍ରସଙ୍ଗକୁ ନେଇ ନିର୍ବାଚନରେ ଅଂଶଗ୍ରହଣ କରନ୍ତୁ – ପ୍ରମୋଦ ମିଶ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ଅକ୍ଟୋବର ୧୫ ତାରିଖରେ ଦୀର୍ଘ ଦିନ ପରେ କଲେଜମାନଙ୍କରେ ସାଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଲିଙ୍ଗଡୋ କମିଟିର ସୁପାରିସ ଆଳରେ ଦୀର୍ଘ ଦିନ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇ ଯିବାରୁ ଦେଶ ଓ ରାଜ୍ୟର ବିଭିନ୍ନ କେମ୍ପସରୁ ଛାତ୍ର ରାଜନୀତି ପ୍ରାୟତଃ ଉଭେଇ ଯାଇଥିଲା । କେବଳ ଜେ.ଏନ୍.ୟୁ ଓ ଡି.ୟୁ. ଭଳି କିଛି ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନକୁ ଛାଡି ଦେଲେ ଆଦର୍ଶ ଗତ ଛାତ୍ର ରାଜନୀତି ଆଉ ପ୍ରାୟତଃ ଦେଖିବାକୁ ମିଳୁ ନ ଥିଲା । ନିକଟ ଅତୀତରେ ନିଟ୍ ଘଟଣାରେ ଦେଶରେ ଜେଡ-ଜି ଓ ଜେଡ-ଆଲଫାଙ୍କ ସରକାର ବିରୋଧି ଓ ବ୍ୟବସ୍ଥା ବିରୋଧି ଆନ୍ଦୋଳନ ଓ ପ୍ରତିକ୍ରିୟା ପରେ ଯୁବ ଛାତ୍ର ଗୋଷ୍ଠୀକୁ ପୁଣି ଥରେ ଆକର୍ଷିତ କରିବା ପାଇଁ ସରକାର ହୁଏତ ଛାତ୍ର ସଂସଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି । କିନ୍ତୁ ସେ ଯାହା ବି ହେଉ ଏହା ଏକ ଐତିହାସିକ ପଦକ୍ଷେପ ଅଟେ । ଛାତ୍ରମାନେ ଯଦି କେମ୍ପସ ରାଜନୀତିରେ ରହିବେ ନାହିଁ ତେବେ ଦେଶର ଗଣତନ୍ତ୍ର ସମୃଦ୍ଧ ହୋଇପାରିବ ନାହିଁ । ତେଣୁ ଦେଶର ବିକାଶ ଓ ଗଣତନ୍ତ୍ରର ସମୃଦ୍ଧି କରଣ ପାଇଁ ଛାତ୍ର ରାଜନୀତି ନିହାତି ଆବଶ୍ୟକ । ଦୀର୍ଘ ୨୮ ବର୍ଷ ହେଲା କୋଶଳାଂଚଳର ମୁକ୍ତି ପାଇଁ ଓ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପ୍ରୟାସ ଚାଲିଛି । ଏହି ପ୍ରୟାସରେ କୋଶଳାଂଚଳର ସଂଗ୍ରାମୀ ଯୁବ ଛାତ୍ରମାନଙ୍କର ଏକ ମହତ୍ ଭୂମିକା ରହିଛି । ତେଣୁ ଯିଏ ଯେଉଁ ସଂଗଠନର ହୁଅନ୍ତୁ ନାଁ କାହିଁକି ଆଗାମୀ ଛାତ୍ର ସଂସଦ ନିର୍ବାଚନରେ କୋଶଳାଂଚଳର ଛାତ୍ରଛାତ୍ରୀମାନେ କୋଶଳ ରାଜ୍ୟ ଗଠନର ଦାବିକୁ ନେଇ ହିଁ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିବା ଆବଶ୍ୟକ । ତେଣୁ କୋଶଳାଂଚଳର ବିପ୍ଲବୀ ଛାତ୍ର ସମାଜ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ କୋଶଳକୁ ହିଁ ମୁଖ୍ୟ ମୁଦ୍ଦା କରି ନିର୍ବାଚନରେ ଅଂଶ ଗ୍ରହଣ କରନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।