jayashree

ମୁରିବାହାଲ ରେଞ୍ଜ ଅଞ୍ଚଳରୁ ପୁଣି କୂଅରେ ପଡ଼ିଥିବା ମାଈ ହାତୀ ସୁରକ୍ଷିତ ଉଦ୍ଧାର

  • ଉଦ୍ଧାର ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ବନ କର୍ମଚାରୀ
  • ରେଞ୍ଜରେ ୫୩ଟିକିଆ ହାତୀପଲଙ୍କ ଆତଙ୍କ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରୁ ଚତୁର୍ଥ ଥର ପାଇଁ ପୁଣି କୂଅରେ ପଡ଼ିଥିବା ଏକ ମଧ୍ୟ ବୟଷ୍କ ମାଈ ହାତୀକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମଙ୍ଗଳବାର ଏହି ରେଞ୍ଜ ଜଇଁତରା ସେକ୍ସନ ଚଲକି ଗ୍ରାମର ନନ୍ଦିକିଶୋର ପ୍ରଧାନୀ(ନଇ)ଙ୍କ ବିଛୁବାହାଲି ଭାଗ ଚାଷ ଜମିରେ ଥିବା ପଥର ବନ୍ଧେଇ ୪୦ଫୁଟର ଗଭୀର କୂଅରେ ଏକ ମାଈ ହାତୀ ପଡ଼ିଯାଇଥିବା ଚାଷୀ ଓ ଗ୍ରାମବାସୀ ଜାଣିବାକୁ ପାଇ ବନ ବିଭାଗକୁ ସୂଚନା ଦେଇଥିଲେ । କୂଅରେ ୨୫ଫୁଟରୁ ଉର୍ଦ୍ଧ୍ବ ପାଣି ଥିବାରୁ ହାତୀଟି ଦୀର୍ଘ ସମୟ ଧରି ପାଣିରେ ଛଟପଟ ହେଉଥିଲା।ଖବର ପାଇ ଜଇଁତରା ସେକ୍ସନ ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରି ହାତୀକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ।ଏକ ଜେସିବି ସାହାଯ୍ୟରେ କୂଅର ଗୋଟିଏ ପାର୍ଶ୍ୱକୁ ଖୋଲାଯାଇ ହାତୀ ଯିବା ପାଇଁ ରାସ୍ତା କରାଯିବା ପରେ ମାଈ ହାତୀଟି ସୁରକ୍ଷିତ ଭାବେ କୂଅରୁ ବାହାରି ଜଙ୍ଗଲ ଅଞ୍ଚଳକୁ ଚାଲିଯାଇଥିଲା।ଦୀର୍ଘ ସମୟ ଧରି ବଣୁଆ ମାଈ ହାତୀଟି କୂଅରେ ପଡ଼ି ଅଣନିଶ୍ୱାସୀ ହୋଇଯାଇଥିବାରୁ କୂଅରୁ ବାହାରିବା ପରେ ରକ୍ତମୁଖା ହୋଇ ଜଙ୍ଗଲକୁ ଦୌଡିବା ବେଳେ ଜଣେ ବନ କର୍ମଚାରୀ ତା ହାବୁଡ଼ରେ ପଡି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ବଣୁଆ ହାତୀପଲଙ୍କ ପାଇଁ ଜଙ୍ଗଲ ଅଞ୍ଚଳରେ ଥିବା ଚାଷଜମିର କୂଅଗୁଡ଼ିକ ଏବେ ମରଣଯନ୍ତା ପାଲଟିଛି । ଗତ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲଗାତାର ଭାବେ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଅଞ୍ଚଳ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ ବାରମ୍ବାର କୂଅରେ ପଡ଼ିବାର ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ଗତବର୍ଷ ନଭେମ୍ବର ୧୩ତାରିଖ ଦିନ ଗୁଡିଘାଟ ପଞ୍ଚାୟତ ବିଜାମାଲ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଏକ ହାତୀ ଛୁଆ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ ୧୫ତାରିଖ ଦିନ ପୁଣି ଲତାସହଡା ସଂରକ୍ଷିତ ଜଙ୍ଗଲର ଅନ୍ୟ ଏକ ପରିତ୍ୟକ୍ତ କୂଅରୁ ଆଉ ଏକ ବଣୁଆ ହାତୀକୁ ଉଦ୍ଧାର କରାଯାଇଥିଲା । ପୁଣି ଗତ ଅଗଷ୍ଟ ୧୪ତାରିଖ ଦିନ ଏହି ରେଞ୍ଜ ବେଲପଡ଼ା ଥାନା ସୁଲେକେଲା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ରାଜୀନ୍ଦ୍ର ପୁଟେଲଙ୍କ ବାଡ଼ି ପଛପଟେ ଥିବା ଏକ କୂଅରେ ପଡ଼ିଥିବା ମା’ ଓ ଛୁଆ ହାତୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଜଇଁତରା ସେକ୍ସନରେ ଏବେବି ୩ଛୁଆ ହାତୀ ସହ ମୋଟ ୩୫ପଟ ଓ ରେଞ୍ଜ ଅଞ୍ଚଳରେ ସର୍ବମୋଟ ୫୩ପଟ ହାତୀ ଚଳପ୍ରଚଳ କରି ଆତଙ୍କ ସୃଷ୍ଟି ଜାରି ରଖିଥିବା ଫରେଷ୍ଟର ଶ୍ରୀ ସୁଆର ପ୍ରକାଶ କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ବଲାଙ୍ଗିର ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡା, ରେଞ୍ଜର ଡମ୍ବରୁଧର ପ୍ରଧାନ, ଜଇଁତରା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର,ଗୁଡିଘାଟ ଫରେଷ୍ଟର ଦିବସ ମାଝୀ,ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନ, ଜିନାସିଶ ସ ଓ ମୁରିବାହାଲ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.