
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ଉପଲକ୍ଷେ ମହିଳା ଓ ଯୁବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଦୀର୍ଘ ୧୩ ବର୍ଷ ଧରି ଗାଁରେ ଟିହିଲି ଉତ୍ସବ ପାଳିତ ହୋଇଆସୁଥିବା ବେଳେ ପ୍ରତିବର୍ଷ ଉତ୍ସବ ପୂର୍ବରୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଚଳିତ ବର୍ଷ ମହିଳାମାନଙ୍କୁ ନେଇ ମଣ୍ଡା ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଫଟାମୁଣ୍ଡା ଗାଁର ଜୟ ମା’ ଲକ୍ଷ୍ମୀ, ମା’ ଗଣାଘାଟେନ, ମା’ ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା’ ସମଲେଶ୍ୱରୀ, ଶ୍ରୀଜଗନ୍ନାଥ, ତାରାତାରିଣୀ ଓ ବଜରଙ୍ଗବଳି ନାମରେ ଥିବା ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ନୃତ୍ୟଗୁରୁ ଅଞ୍ଜଳି ପରିଡ଼ା ମଣ୍ଡା ପିଠା ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତାରେ ଭିତ୍ତିଭୂମି ସେବା ସଂଗଠନ ପକ୍ଷରୁ ସୁଦେଷ୍ଣା ସ୍ୱାଇଁ ସାହୁ, ଶୁକଦେବ ସ୍ୱାଇଁ ଓ ଦାଶରଥୀ ବିଚାରକ ଭାବେ ଯୋଗଦେଇଥିଲେ । ଏହାପରେ ମହିଳା ଓ ଗାଁର ଯୁବକମାନଙ୍କୁ ନେଇ ସୁଜି ସୁତା ରେସ, ଚାମଚ ବାଟି ରେସ, ମାଟିଆ ଫଟା, ମ୍ୟୁଜିକ୍ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଏଥିସହ ଯୁବକମାନଙ୍କୁ ନେଇ ଜୁନିଅର ଓ ସିନିୟର ବିଭାଗରେ ମାରାଥନ ଦୌଡ଼ ମଧ୍ୟ ଆୟୋଜିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ରମେଶ ଗୁର୍ଲା, ଆଶିଷ ବୈକାର, ସୋନାଲିକା ଶବର, ମିନାକ୍ଷୀ ଭୋଇ ଓ ବିକ୍ରମ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଳାଇଥିଲେ । ପ୍ରତିଯୋଗିତାରେ ବିଜେତାମାନଙ୍କୁ ଆସନ୍ତା ୨୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଟିହିଲି ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି । କ୍ଲବ ସଭାପତି ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଙ୍ଗାଧର ସୁନା, ରାଜେଶ ମହାନନ୍ଦ, ତ୍ରିଲୋଚନ ସୁନା, ଶଶୀ, ରଂଜନ, ଦୁଃଶାସନ, ରାଜୁ, ରମେଶ, ସନ୍ତୋଷ, ବେଣୁ, ଭକ୍ତ, ହିମାଞ୍ଚଳଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।