
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍ ତଥା କୋଶଲ ସମାବେଶ-୨୦୨୬ ଧୁମ୍ଧାମରେ ଆୟୋଜିତ ହୋଇଯାଇଛି । ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କୋଶଲ ସେନାର ସଭାପତି କୌସ୍ତୁଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସଂଗଠନର ସମ୍ପାଦକ ବୀରବଳ ମହାକୁର ଉପସ୍ଥିତ ଥିଲେ । ସ୍ୱପ୍ନିକା ସାହୁ ଓ ଅଶୋକ ଛତର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ‘ବାଲ୍କୋ ହଟାଓ, ଗନ୍ଧମାର୍ଦ୍ଦନ ବଚାଓ’ ଆନ୍ଦୋଳନର ମୁଖ୍ୟ ସଂଗ୍ରାମୀ ସ୍ୱାମୀ ସୋମବେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଠିକ୍ ସେହିପରି ବରେଣ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ସମାଜସେବୀ ନରେନ୍ଦ୍ର ହୋତା, ସମ୍ବଲପୁରୀ କଳା ଓ ସାହିତ୍ୟ ଜଗତର ଜଣାଶୁଣା କଳାକାର ତଥା ଅଭିନେତ୍ରୀ ତପସ୍ୱିନୀ ଗୁରୁ, ଜ୍ଞାନେନ୍ଦ୍ର ବେହେରା, ଉତ୍ପନ୍ନ ଭୋଇ, ଚାଷୀ ନେତା ରମେଶ ମହାପାତ୍ର, ଆଇନଜୀବୀ ଅଜିତ ଶତପଥୀ, କୋଶଲ ସଂଗ୍ରାମୀ ସୁରେନ୍ଦ୍ର ପଣ୍ଡା, ଶାଶ୍ୱତ ତ୍ରିପାଠୀ, ହିଟଲର ମେହେର, ଗୀତିକାର ଶିବଶଙ୍କର ପଧାନ, ନିହାଲ ସିଂ ଓ ଡ. ମୁରଲୀଧର ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ । ସମାବେଶରେ ଆଗାମୀ ଦିନରେ କୋଶଲ ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ସହ ଏହାର ଭବିଷ୍ୟତ ରଣନୀତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଷ କରାଯାଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଶିବିରରୁ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବରଗଡ଼ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା । ଏଥିସହ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ, ସମାଜସେବୀ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯାଇଥିଲା । କୋଶଲ ସେନାର ଅବିନାଶ ବିଶି, ଗଣେଶ ମଟାରି, ସରୋଜ ପଧାନ, ଯଦୁମଣି କୁଦେଇ, ରୋହନ ପଧାନ, ହିମାଂଶୁ ମହାକୁର, ରାହୁଲ ବାରିକଙ୍କ ସମେତ ବହୁ ଯୁବ ଓ ମହିଳା ସଂଗ୍ରାମୀ ଏବଂ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ କୋଶଲ ସେନାର ବରଗଡ଼ ଜିଲ୍ଲା ସଭାପତି ସୁଦାମ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।