jayashree

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨ ଅକ୍ଟୋବର ୨୦୨୬ ଠାରୁ ‘ସ୍ୱତନ୍ତ୍ର ଅଭିଯାନ ୬.୦’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଦେଶବ୍ୟାପୀ ମନ୍ତ୍ରଣାଳୟର ୬୧୦ଟି କାର୍ଯ୍ୟାଳୟ ଅଂଶଗ୍ରହଣ କରୁଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ବିଚାରାଧୀନ କାର୍ଯ୍ୟ ବା ମାମଲାଗୁଡ଼ିକର ସମାଧାନ କରି ସେଗୁଡ଼ିକର ସଂଖ୍ୟା ହ୍ରାସ କରିବା। ଏଥିସହ ଇ-ବର୍ଜ୍ୟବସ୍ତୁର ଉପଯୁକ୍ତ ସଂଗ୍ରହ, ପୃଥକୀକରଣ ଓ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି।

ପ୍ରସ୍ତୁତି ପର୍ଯ୍ୟାୟ ସମୟରେ, ମୁଖ୍ୟ ସଚିବାଳୟ ସମେତ ସମସ୍ତ ଗଣମାଧ୍ୟମ ୟୁନିଟ୍ ଓ ସେମାନଙ୍କ ଅଧୀନସ୍ଥ କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟଗୁଡ଼ିକୁ ଅଭିଯାନର ଲକ୍ଷ୍ୟ ସ୍ଥିର କରିବା, ବିଚାରାଧୀନ ମାମଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ସ୍ଥାନର ସୁପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସ୍ତୁତି ପର୍ଯ୍ୟାୟ ସମୟରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ୟୁନିଟ୍ଗୁଡ଼ିକର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରଣାଳୟର ସର୍ବନିମ୍ନ ସ୍ତରର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟାଳୟକୁ ଏହି ଅଭିଯାନରେ ସାମିଲ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ ସେ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ଅଭିଯାନ ୩୧ ଅକ୍ଟୋବର ୨୦୨୬ ପରେ ମଧ୍ୟ ଜାରି ରହିବା ଉଚିତ୍ ଏବଂ ଏହା ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ପରିଣତ ହେବା ଆବଶ୍ୟକ। ଜନସାଧାରଣଙ୍କ ସହ ସିଧାସଳଖ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଭଲ କାର୍ଯ୍ୟଗୁଡ଼ିକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରଚାର-ପ୍ରସାର କରାଯିବା ଆବଶ୍ୟକ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାର, ସମସ୍ତ ଗଣମାଧ୍ୟମ ୟୁନିଟ୍ର ମୁଖ୍ୟ ଏବଂ ସେମାନଙ୍କର ନୋଡାଲ୍ ଅଧିକାରୀଙ୍କ ସହ ଏହି ଅଭିଯାନର ପ୍ରସ୍ତୁତି ଓ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଚଳିତ ବର୍ଷର ଅଭିଯାନ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଉପଯୁକ୍ତ ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର ଅଭିଯାନଗୁଡ଼ିକରେ ମନ୍ତ୍ରଣାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସ୍ୱଚ୍ଛତାକୁ ଏକ ଅନୁଷ୍ଠାନଗତ ଅଭ୍ୟାସରେ ପରିଣତ କରିବା ଏବଂ ବିଚାରାଧୀନ ମାମଲାଗୁଡ଼ିକର ସମୟୋଚିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟର ନିରନ୍ତର ପ୍ରତିବଦ୍ଧତା ଏହା ମାଧ୍ୟମରେ ପ୍ରତିଫଳିତ ହୋଇଛି। ପୂର୍ବ ଅଭିଯାନଗୁଡ଼ିକରେ କରାଯାଇଥିବା ପ୍ରୟାସ କେବଳ କାର୍ଯ୍ୟାଳୟଗୁଡ଼ିକର ସ୍ୱଚ୍ଛତା ବୃଦ୍ଧିରେ ସହାୟକ ହୋଇନାହିଁ, ବରଂ ରାଜସ୍ୱ ଆୟ, ସ୍ଥାନର ସୁପରିଚାଳନା ଏବଂ କାଗଜପତ୍ର ଥିବା ଫାଇଲ୍ଗୁଡ଼ିକର ନିଷ୍ପତ୍ତି କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଫଳାଫଳ ମିଳିଛି।

୨୦୨୧ ମସିହାରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ପରଠାରୁ ମନ୍ତ୍ରଣାଳୟ ମୋଟ ୩୬.୨୦ କୋଟି ଟଙ୍କାର ରାଜସ୍ୱ ଆୟ କରିଛି। ଏହି ଅବଧି ମଧ୍ୟରେ ପ୍ରାୟ ୧୩.୮୯ ଲକ୍ଷ କିଲୋଗ୍ରାମ ସ୍କ୍ରାପ୍ ବା ଅଦରକାରୀ ସାମଗ୍ରୀ ନିଷ୍କାସନ କରାଯାଇଛି, ୧୩.୯୮ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି କରାଯାଇଛି ଏବଂ ୨.୭୧ ଲକ୍ଷ କାଗଜପତ୍ର ଥିବା ଫାଇଲକୁ ଅପସାରଣ କରାଯାଇଛି। ଏଥିସହ ମୋଟ ୬,୬୪୨ଟି ବାହ୍ୟ ସ୍ୱଚ୍ଛତା ଅଭିଯାନ (ଆଉଟଡୋର୍ କ୍ୟାମ୍ପେନ୍) ଆୟୋଜନ କରାଯାଇଥିବା ବେଳେ ୧୫,୪୯୬ଟି ସ୍ଥାନକୁ ସଫା କରାଯାଇଥିଲା।

Leave A Reply

Your email address will not be published.