jayashree

ବିଜ୍ଞାନଭିତ୍ତିକ ନାଟକରେ ଆର୍‌ଇସି କ୍ୟାମ୍ପସ୍‌ ବିଦ୍ୟାଳୟ ଚାମ୍ପିଅନ୍‌, ରାଜ୍ୟସ୍ତରକୁ ଉନ୍ନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନଭିତ୍ତିକ ନାଟକ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ୍‌ର ଛାତ୍ରଛାତ୍ରୀ । ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ସହ ବିଶ୍ରା ବ୍ଲକ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସେମାନେ । ଏଥିସହ ନାଟକର ଲେଖିକା ଓ ନିର୍ଦ୍ଦେଶିକା ତଥା ବିଜ୍ଞାନ ଶିକ୍ଷିକା ଛବିରାଣୀ ପ୍ରଧାନ ଶ୍ରେଷ୍ଠ ନିର୍ଦ୍ଦେଶିକା ପୁରସ୍କାର ହାସଲ କରିଛନ୍ତି । ଗତ ୬ ତାରିଖରେ ଦେବଗଡ଼ସ୍ଥିତ ବିଜୁ କଲେଜ ଅଡିଟୋରିୟମ୍‌ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଓସେପା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଭିନ୍ନ ବିଷୟବସ୍ତୁକୁ ନେଇ ନାଟକ ପରିବେଷଣ ହୋଇଥିବା ବେଳେ ଆର୍‌ଇସି କ୍ୟାମ୍ପସ୍‌ ବିଦ୍ୟାଳୟ ପକ୍ଷରୁ ‘ସମୁଦ୍ରର ବେଦନା’ ଶୀର୍ଷକ ବିଜ୍ଞାନଭିତ୍ତିକ ନାଟକ ମଞ୍ଚସ୍ଥ ହୋଇଥିଲା । ପ୍ରଧାନଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ନେତୃତ୍ୱ ଏବଂ ବିଜ୍ଞାନ ଶିକ୍ଷିକା ଛବିରାଣୀ ପ୍ରଧାନଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ଏହି ସଫଳତା ପାଇଛନ୍ତି । ନାଟକରେ ସଚିନ ବେହେରା, ସାଇକୃଷ୍ଣ ସ୍ୱାଇଁ, ପ୍ରିୟା ସାହୁ, ନଭ୍ୟା ବଡ଼ାଇକ, ଏଲିନ ବ୍ଲାକ୍ଳା, ସନ୍ଧ୍ୟା ତୁରୀ, ରିକି ସାହୁ ଓ ଅନନ୍ୟା ବୁଡ଼ାଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ସଫଳତା ପରେ ବିଦ୍ୟାଳୟର ଦଳ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରଠାରେ ହେବାକୁ ଥିବା ପରବର୍ତ୍ତୀ ସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି । ଏହି ଉପଲବ୍ଧି ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିବା ସହ ଆଗାମୀ ପ୍ରତିଯୋଗିତାରେ ମଧ୍ୟ ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.