
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରାଯାଇଛି । ଆଜି ସକାଳ ଦଶଟାରୁ ଗୋଟାଏ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମାଙ୍କନ ଦାଖଲ କରିଥିଲେ । ଦୁଇଟାରୁ ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା । ଛାତ୍ର ସଂସଦର ସଭାପତି ପଦ ପାଇଁ ଚାରିଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସେମାନେ ହେଲେ ନାରାୟଣ ଭୁଏ, ସ୍ମିତ ରାଜପୁତ, ସୁମିତ ସାହୁ ଓ ଆକାଶ ସାହୁ । ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଉପ-ସଭାପତି ପଦରେ ଚାରିଜଣ ନାମାଙ୍କନ ଦାଖଲ କରିଥିଲେ । ସେଥିରୁ ଶ୍ୱେତାରାଣୀ ପଟେଲ ଓ ମାମିନା ସାହୁଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବା ବେଳେ ସରୋଜ କୁମ୍ଭାର ଓ କୁନାଲ ସେଠ ଯାଞ୍ଚରେ ବାଦ ପଡିଛନ୍ତି । ସାଧାରଣ ସମ୍ପାଦକ ପଦରେ ତିନିଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେଥିରୁ ସୁନିତା ବାଗ ଓ ଜଗନ୍ନାଥ ସାହୁ ବାଦ ପଡିଥିବାରୁ ରେଶମା ରାଣୀ ପଟେଲ ନିର୍ଦ୍ଵନ୍ଦରେ ମନୋନୀତ ହୋଇଛନ୍ତି । ସାଂସ୍କୃତିକ ସଂପାଦକ ପଦ ପାଇଁ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯଶୋବନ୍ତ ସାହୁ, ପିଙ୍କି ସାହୁ ଓ ହେମସାଗର ସାହୁ ବାଦ ପଡିବାରୁ ରିଲୁ ନାଗ ମନୋନୀତ ହୋଇଛନ୍ତି । କ୍ରୀଡା ସମ୍ପାଦକ ପଦରେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜ୍ୟୋତିର୍ମୟୀ ସ୍ୱାଇଁ ଓ ଚନ୍ଦନ ସେଠ ବାଦ ପଡି ରାକ୍ଷୀ କନ୍ଧେର ଓ ଶୁଭଦର୍ଶିନୀ ମହାରଣାଙ୍କ ମଧ୍ୟରେ ଲଢେଇ ହେବ । ସମୁଦାୟ ପାଞ୍ଚଟି ପଦବୀ ପାଇଁ ଉଣେଇଶ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଯାଞ୍ଚରୁ ନଅ ଜଣ ପ୍ରାର୍ଥୀ ବିଭିନ୍ନ କାରଣରୁ ବାଦ ପଡିଛନ୍ତି । ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦ ନିର୍ଦ୍ଵନ୍ଦରେ ମନୋନୀତ ହୋଇଥିବା ବେଳେ ସଭାପତି, ଉପ-ସଭାପତି ଓ କ୍ରୀଡା ସଂପାଦକ ପଦ ପାଇଁ ଲଢେଇ ଜୋରଦାର ହେବ ବୋଲି ଜଣାପଡୁଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପନ୍ଦର ତାରିଖରେ ଭୋଟ ଗ୍ରହଣ ସହ ଫଳାଫଳ ମଧ୍ୟ ପ୍ରକାଶ କରାଯିବ । ସଂପ୍ରତି ରୋତ କଲେଜର କ୍ୟାମ୍ପସ ରାଜନିତୀ ବେଶ ଗରମ ଥିବା ବେଳେ ବିଜୟ ଉପରେ ସମସ୍ତଙ୍କ ନଜର ରହିଛି ।