jayashree

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ବ୍ଲାକମେଲ୍ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ଯୁବତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବ୍ଲାକମେଲ୍ ଓ ଟଙ୍କା ଠକେଇ ଅଭିଯୋଗରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ । ବିବାହର ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ, ବଳପୂର୍ବକ ଗର୍ଭପାତ, ବ୍ଲାକମେଲ୍ କରି ଆର୍ଥିକ ଠକେଇ ଏବଂ ଜୀବନରେ ମାରିଦେବାର ଧମକ ଦେଇଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଯୁବତୀ । ଅଭିଯୋଗ ଅନୁସାରେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ଯୁବତୀଙ୍କ ସହ ବୌଦ୍ଧ ଅଞ୍ଚଳର ଜଣେ ଯୁବକଙ୍କ ଗତ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଇସଲାମୀୟ ରୀତିନୀତିରେ ବିବାହ କରିବାକୁ ପ୍ରତିଶୃତି ଦେଇ ଯୁବକ ଜଣକ ବିଭିନ୍ନ ସ୍ଥାନରେ ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏହାରି ମଧ୍ୟରେ ଯୁବତୀ ଗର୍ଭବତୀ ହୋଇଥିବା ବେଳେ, ଗର୍ଭ ନଷ୍ଟ ନକଲେ ବିବାହ କରିବେ ନାହିଁ ବୋଲି ଯୁବକ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଇଚ୍ଛା ବିରୋଧରେ ଗର୍ଭପାତ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ଗୋପନୀୟ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇ ନଗଦ ଓ ଅନଲାଇନ୍ ମାଧ୍ୟମରେ ମୋଟ ପ୍ରାୟ ୫ ଲକ୍ଷ ୧୦ ହଜାର ଟଙ୍କା ନେଇଥିବା ଯୁବତୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ବର୍ତ୍ତମାନ ଯୁବକ ଜଣକ ବିବାହ ପାଇଁ ମନା କରିବା ସହ ଥାନାକୁ ଗଲେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାର ଧମକ ଦେଉଥିବା ସେ କହିଛନ୍ତି । ଘଟଣାର ଫଟୋ, ଭିଡିଓ, ହ୍ୱାଟ୍ସଆପ୍ ଚାଟ୍, କଲ୍ ରେକର୍ଡ ଏବଂ ବ୍ୟାଙ୍କ-ୟୁପିଆଇ ଦେଣନେଣର ପ୍ରମାଣ ଥିବା ମଧ୍ୟ ଯୁବତୀ ଦାବି କରିଛନ୍ତି । ଏବେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ଯୁବତୀ । ତେବେ ପୁଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.