
ବଲାଙ୍ଗିର, (କେପିଏନ୍ଏସ୍) : ସୋନପୁର ରାସ୍ତାର ରଣ୍ଡା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପୁଇଁତଲା ଥାନା ଅନ୍ତର୍ଗତ ଜାମଗାଁର କୌଶିକ ଗୁରୁହାଣ୍ଡି । ସୂଚନା ଅନୁସାରେ, କୌଶିକ ବଲାଙ୍ଗିର ପଟୁ ନିଜ ଗାଁ ଜାମଗାଁକୁ ଫେରୁଥିବା ସମୟରେ ରଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ଗୁରୁତର ଅବସ୍ଥାରେ କୌଶିକଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର କୌଶିକଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଭୀମଭୋଇ ମେଡିକାଲର ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଏପଟେ ପରିବାରର ଜଣେ ରୋଜଗାରିଆ ସଦସ୍ୟଙ୍କୁ ହରାଇ ପରିବାର ଭାଙ୍ଗି ପଡ଼ିଛି । କୌଶିକଙ୍କ ମୃତ୍ୟୁ ପରେ ତାଙ୍କ ପୁଅଝିଅ ବେସାହାରା ହୋଇପଡ଼ିଥିବା ପରିବାର ପକ୍ଷରୁ କୁହାଯାଇଛି । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି । ଘଟଣାକୁ ନେଇ ଜାମଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।