
- ଚାରି ବର୍ଗରେ ଚାମ୍ପିୟନ୍ ଦଳ ଚୟନ, ରାଜ୍ୟସ୍ତରରେ ଜିଲ୍ଲାକୁ କରିବେ ପ୍ରତିନିଧିତ୍ୱ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାର ଭବ୍ୟ ସମାପନ ହୋଇଛି । ଅଣ୍ଡର-୧୪ ଓ ଅଣ୍ଡର-୧୭ ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରୁ ମୋଟ ୫୬ଟି ଦଳ ଅଂଶଗ୍ରହଣ କରିଥିଲେ । ଅଣ୍ଡର-୧୭ ବାଳକ ବର୍ଗରେ ବଙ୍ଗୋମୁଣ୍ଡା, ବାଳିକା ବର୍ଗରେ ସଇଁତଲା ଚାମ୍ପିୟନ୍ ହୋଇଥିବା ବେଳେ, ଅଣ୍ଡର-୧୪ ବାଳକ ବର୍ଗରେ ମୁରିବାହାଲ ଏବଂ ବାଳିକା ବର୍ଗରେ ସଇଁତଲା ଦଳ ଚାମ୍ପିୟନ୍ ହୋଇଛି । ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆଗାମୀ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି । ଏହି ଖେଳାଳିମାନେ ରାଜ୍ୟସ୍ତରରେ ବଲାଙ୍ଗିର ଜିଲ୍ଲାର ପ୍ରତିନିଧିତ୍ୱ କରିବେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗରପାଳ ବରିୟମ ସିଂ ସାଲୁଜା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଞ୍ଜୟ ଅଗ୍ରୱାଲ, ଅଶୋକ ଛାପଡ଼ିଆ, ରାଜେଶ କୁମାର ମହାନ୍ତି, ଆଇନଜୀବୀ ଅଶୋକ ଦାସ ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରତିଯୋଗିତାର ସମାପନ ସହ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ, ପ୍ରତିଭା ଓ କ୍ରୀଡ଼ାସୁଲଭ ମନୋଭାବର ଚିତ୍ର ଦେଖିବାକୁ ମିଳିଥିଲା ।