
ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ମହାତ୍ମା ଗାନ୍ଧି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି । ଅକ୍ଟୋବର ୨ ତାରିଖର ଏହି ଦିନରେ ଦୁଇ ମହାପୁରୁଷଙ୍କ ଆଦର୍ଶ ଓ ଦେଶ ପାଇଁ ଅବଦାନକୁ ସ୍ମରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ, ମହାତ୍ମା ଗାନ୍ଧି ସତ୍ୟ ଓ ଅହିଂସାର ମାର୍ଗ ଦେଖାଇ ଭାରତୀୟ ସଭ୍ୟତା ଓ ସଂସ୍କୃତିର ମହାନ ପ୍ରତିନିଧି ହୋଇଥିଲେ । ସେହିପରି ଲାଲ ବାହାଦୁର ଶାସ୍ତ୍ରୀ ତାଙ୍କ ‘ଜୟ ଯବାନ, ଜୟ କିଷାନ’ ମନ୍ତ୍ର ମାଧ୍ୟମରେ ଦେଶର ସୈନିକ ଓ କୃଷକଙ୍କ ଗୁରୁତ୍ୱକୁ ଉଜାଗର କରିଥିଲେ । ଦୁଇ ମହାନ ନେତାଙ୍କ ସରଳ ଜୀବନ, ଶୃଙ୍ଖଳା, ସତ୍ୟନିଷ୍ଠା ଓ ଦେଶପ୍ରେମ ଆଜି ବି ସମାଜ ପାଇଁ ପ୍ରେରଣା ବୋଲି ମତ ପ୍ରକାଶ ପାଇଥିଲା । ପାଠାଗାର ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସାମଗ୍ରୀ ଓ ସେବା କର ବିଭାଗର ଅତିରିକ୍ତ କମିଶନର ପ୍ରକାଶ ଚନ୍ଦ୍ର ଦୋରା, ସମ୍ମାନିତ ଅତିଥି ଭାବେ ସାଇଭେଲି ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭଗବାନ ପାଢ଼ୀ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଅତିଥିମାନେ ଗାନ୍ଧି ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପାଠାଗାର ସମ୍ପାଦକ ବିଶ୍ୱନାଥ ଜେନା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ସମ୍ପାଦକ ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ସଦସ୍ୟ, ସଦସ୍ୟା, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ଦୁଇ ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।