jayashree

ବେନୁପଡା ଗାଦିବ୍ରହ୍ମ ପୀଠ, ଘୋରଡ଼ିଆ ରାଧାକାନ୍ତ ଓ ରାଧାମୋହନ ମଠରେ ପ୍ରସିଦ୍ଧ ଅଁଳା ନବମୀ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଅଁଳା ନବମୀ (ଯାହାକୁ କାର୍ତ୍ତିକ ଶୁକ୍ଳ ନବମୀ ବା ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଏ) ହିନ୍ଦୁ ଧର୍ମ ଏବଂ ଓଡ଼ିଶାର ସଂସ୍କୃତିରେ ଏକ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ପର୍ବ । ଏହି ଦିନ ଅଁଳା ବୃକ୍ଷ ପୂଜନ ଏବଂ ଶ୍ରୀରାଧାଙ୍କ ପାଦଦର୍ଶନର ବିଶେଷ ଆଧ୍ୟାତ୍ମିକ, ଧାର୍ମିକ ତଥା ଆୟୁର୍ବେଦିକ ମାହାତ୍ମ୍ୟ ରହିଛି । ​ପବିତ୍ର ଅଁଳା ନବମୀ ଆମ୍ଭକୁ ପ୍ରକୃତି (ଅଁଳା ବୃକ୍ଷ) ଏବଂ ଆଧ୍ୟାତ୍ମିକତା (ରାଧା-କୃଷ୍ଣ ଭକ୍ତି)ର ଏକ ଅପୂର୍ବ ସମନ୍ୱୟ ଶିକ୍ଷା ଦେଇଥାଏ । ଏହି ଦିନ ପ୍ରକୃତିର ଆଶୀର୍ବାଦ ଏବଂ ଈଶ୍ୱରୀୟ କୃପା ଉଭୟ ଲାଭ ହୋଇଥାଏ । ପବିତ୍ର ଅଁଳା ନବମୀରେ ବେନୁପଡା ଗାଦିବ୍ରହ୍ମମଠ ପରିସରରେ ବାଇଧର ଦାସଙ୍କ ମା’ ସାଧବାଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହେବା ସହ ଅଁଳା ଗଛ ପୂଜନ, ଗାଦିବ୍ରହ୍ମ ଓ ରାଧାପାଦ ଦର୍ଶନ ନିମନ୍ତେ ଏବଂ ବିଭୂକୃପା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ପ୍ରବଳ ଭିଡ ଲାଗି ରହିଥିଲା । ଏହିଦିନ ଭକ୍ତମାନେ ନିଜ ନିଜ ବାଡ଼ି ବଗିଚାରୁ ପନିପରିବା, ଫଳମୂଳ ଓ ପୂଜା ସାମଗ୍ରୀ ଆଣି ଗାଦିବ୍ରହ୍ମଙ୍କୁ ସମର୍ପଣ କରିଥାନ୍ତି । ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଅହର୍ନିଶ ନଦିଆ ନାମ ସଂକୀର୍ତ୍ତନ, ଘଣ୍ଟ କାହାଳୀ ମୃଦଙ୍ଗ ଶଙ୍ଖ ଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସେହିପରି ଘୋରଡିଆ ଗ୍ରାମର ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପବିତ୍ର ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରାଧାକାନ୍ତ ଦେବ ମଠ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପତିତପାବନ ପାଠାଗାର ପକ୍ଷରୁ ରାମଚରିତ ମାନସ ଓ ନବାହ୍ନ ପାରାୟଣ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.