
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର ୪ଟା ୩୦ ବେଳେ ଏକ ଯାନ ମାଧ୍ୟମରେ ସମଗ୍ର ସହରରେ ରାମଧୁନ୍ ପରିବେଷଣ କରାଯାଇଥିଲା । ୮ଟା ୩୦ ବେଳେ ଗାନ୍ଧୀ ଷ୍ଟାଡିୟମ୍ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦାଣ୍ଡୀ ଯାତ୍ରା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନଙ୍କ ସମେତ ଜିଲ୍ଲା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହାପରେ ସକାଳ ୧୦ଟା ୩୦ ମିନିଟ୍ରେ ସଂସ୍କୃତି ଭବନଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୋଗଦେଇ ନିଜ ନିଜ ଧର୍ମଗ୍ରନ୍ଥ ପାଠ କରିଥିଲେ । ସଭା ପୂର୍ବରୁ କଣ୍ଠଶିଳ୍ପୀ ପୁଷ୍ପକ ରାୟ ‘ରଘୁପତି ରାଘବ ରାଜା ରାମ’ ଭଜନ ପରିବେଷଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନା ସଭାରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସୋନପୁର ଉପଜିଲ୍ଲାପାଳ ଡା. ସୌମ୍ୟରୂପା ରଥ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ମୁଖ୍ୟବକ୍ତା, ସୌରଭ ରଞ୍ଜନ ଖମାରୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଲକ୍ଷ୍ମୀନାରାୟଣ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।