jayashree

ଜୟପାଟଣା ବ୍ଲକରେ ଶିକ୍ଷକମାନଙ୍କୁ ପଦୋନ୍ନତି, ଶିକ୍ଷା ମହଲରେ ଖୁସିର ଲହରୀ

ଜୟପାଟଣା, (ଶେଷଦେ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବହୁ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ପଦୋନ୍ନତି ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ, ଏହି ବ୍ଲକର ୫୯ ଜଣ କନିଷ୍ଠ ଶିକ୍ଷକ ଲେଭଲ-୫(ଏ)ରୁ ଲେଭଲ-୫(ବି)କୁ ପଦୋନ୍ନତ ହୋଇଛନ୍ତି । ସେଥି ମଧ୍ୟରୁ କ୍ୟାଟେଗୋରୀ-୧ରେ ୨୭ ଜଣ ଓ କ୍ୟାଟେଗୋରୀ-୨ ରେ ୩୨ ଜଣ । ସେହିପରି ଲେଭଲ-୫(ବି)ରୁ ୫ ଜଣ ପ୍ରଧାନ ଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ଓ ୧୯ ଜଣ ସ୍ନାତକ ଶିକ୍ଷକ (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଭାବେ ମୋଟ ୨୪ ଜଣ ଏବଂ ଲେଭଲ-୩ ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଭାବେ ୨୫ ଜଣ ଓ ବରିଷ୍ଠ ପ୍ରଧାନ ଶିକ୍ଷକ (ପ୍ରାଥମିକ ୧ଜଣ) ଏହିପରି ଯାକ ବରିଷ୍ଠ ଲେଭଲ୍- ୪ ଶିକ୍ଷକ ୨୬ ଜଣ ପଦୋନ୍ନତ ହୋଇ ସର୍ବମୋଟ,୧୦୧ ଶିକ୍ଷକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସମସ୍ତ ପଦୋନ୍ନତି ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରାଯାଇଥିବାରୁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ, ଜୟପାଟଣା ପକ୍ଷରୁ ସଭାପତି ପ୍ରମୋଦ କୁମାର ଠାକୁର ଓ ସଂପାଦକ ଲଳିତ କୁମାର ନାଏକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ପଦୋନ୍ନତ ଶିକ୍ଷକମାନଙ୍କୁ ଉପଢୌକନ ସହ ସ୍ୱାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ପଦୋନ୍ନତି ପାଇଥିବା ସମସ୍ତ ଶିକ୍ଷକ ସରକାର ଓ ଶିକ୍ଷା ବିଭାଗକୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ନୂଆ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି ସ୍ୱମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.