
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ୍ରେ ଶିଶୁ ସୁରକ୍ଷା ଓ ଅଧିକାର ନେଇ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅରୁଣା, ଆଇସିଡିଏସ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ମିଳିତ ଆୟୋଜନରେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ ଓ ଶିଶୁ ସୁରକ୍ଷା କମିଟିର ବୈଠକ ହୋଇଥିଲା । ବୈଠକରେ ବିପଦସଙ୍କୁଳ ଶିଶୁଙ୍କ ଚିହ୍ନଟ, ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମ ନିରୋଧ, ଦାଦନ ସମୟରେ ଶିଶୁ ଉଦ୍ଧାର ଏବଂ ଅନାଥ ଓ ପିତୃମାତୃହୀନ ଶିଶୁଙ୍କ ଯତ୍ନ ନେଇ ଆଲୋଚନା ହୋଇଥିଲା । ବିଡିଓ ସୁମନ ମିଞ୍ଜ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପଞ୍ଚାୟତ ବିକାଶ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସିଡିପିଓ ଶରତ ଚନ୍ଦ୍ର ସାହୁ ବାଲ୍ୟ ବିବାହ ରୋକିବା ସହ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଉପରେ ସଚେତନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ୍ କିଶୋର ନ୍ୟାୟ ଆଇନ, ବାଲ୍ୟ ବିବାହ ନିରୋଧ ଆଇନ, ପୋକ୍ସୋ ଆଇନ ଓ ଶିଶୁ ଶ୍ରମ ନିରୋଧ ଆଇନ ସମ୍ପର୍କରେ ତାଲିମ ଦେଇଥିଲେ । ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ଇଓମାନଙ୍କ ଭୂମିକା ଏବଂ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁସାରେ ବିପଦସଙ୍କୁଳ ଶିଶୁଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତି ଉପରେ ମଧ୍ୟ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପଲାଇନ୍ ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନଙ୍କ ସମେତ ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସୁପରଭାଇଜର ମେନକା କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ ।