jayashree

ବୌଦ୍ଧ ଗସ୍ତରେ ସଚିବ ଭୁପିନ୍ଦର ସିଂହ ପୁନିଆ : ପରିଦର୍ଶନ କଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବୌଦ୍ଧ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସଚିବ ଭୁପିନ୍ଦର ସିଂହ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ । ପ୍ରଥମେ ବଢ଼ିଗାଁ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଖାଉଟି ବଣ୍ଟନ ବ୍ୟବସ୍ଥା ଓ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ଓଲଣ୍ଡାର ବ୍ରଏଲର ଫାର୍ମ ପରିଦର୍ଶନ କରି ଚାଷୀଙ୍କୁ ସମନ୍ୱିତ କୃଷି ପ୍ରଣାଳୀ ଆପଣେଇବାକୁ ପରାମର୍ଶ ଦେଇଥିଲେ । କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷଣ ଉପକରଣ ସମ୍ପର୍କରେ ଅବଗତ ହୋଇଥିଲେ । ନାରାୟଣ ନଗରର ମା’ ବାଉତି ପ୍ରଡ୍ୟୁସର ଗ୍ରୁପ୍‌ର ଶାଢ଼ୀ ବୁଣା କେନ୍ଦ୍ର ପରିଦର୍ଶନ କରି ଉତ୍ପାଦନ ଓ ବିକ୍ରି ବ୍ୟବସ୍ଥା ବିଷୟରେ ମହିଳା କାରିଗରଙ୍କ ସହ ଆଲୋଚନା କରିଥିଲେ । କମଳପୁରର ସଫଳ ମାଛ ଚାଷୀ ମାରୁତି ନନ୍ଦନ ତ୍ରିପାଠୀଙ୍କ ହ୍ୟାଚେରୀ ଓ କାଶଲପୁରର ଛତୁ ଫାର୍ମ ପରିଦର୍ଶନ କରି ଏହାର ସଫଳ ପରିଚାଳନା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ବାଉଁଶୁଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ସହ ମତବିନିମୟ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ । ଖଇରମାଲର ଇଂଟିଗ୍ରେଟେଡ୍‌ ଫାର୍ମିଂ ପରିଦର୍ଶନ କରି ପିଜୁଳି, ନଡ଼ିଆ, ଆମ୍ବ ଓ କଦଳୀ ଚାଷ ଅନୁଧ୍ୟାନ କରିଥିଲେ । ବାସୁଦେବ ପାଲିରେ ଟେକ୍ସଟାଇଲ ବିଭାଗ ପରିଚାଳିତ ମହିଳା ସଂସାଧକ ଗୋଷ୍ଠୀଙ୍କ ଚାନ୍ଦୁଆ ତିଆରି ଶିଳ୍ପ ପରିଦର୍ଶନ କରି ମହିଳା କାରିଗରଙ୍କଠାରୁ ଉତ୍ପାଦନ, ବିକ୍ରି ଓ ଲାଭ-କ୍ଷତି ସମ୍ପର୍କରେ ଜାଣିଥିଲେ । ଗସ୍ତର ଶେଷରେ କୁମରିକେଲି ଆବାସିକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ସମେତ ବିଡିଓ, ତହସିଲଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଗସ୍ତ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରାଯାଇଥିଲା ।

Leave A Reply

Your email address will not be published.