jayashree

ଛତାମଖନା ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ନରସିଂହ ମିଶ୍ର ବୁଧବାର ସନ୍ଧ୍ୟାରେ ନିଜ ଜନ୍ମ ମାଟି ଛତାମଖନା ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ସମୟ ବିତାଇଛନ୍ତି । ଶ୍ରୀ ମିଶ୍ର ଗ୍ରାମର ବିଭିନ୍ନ ସାହି ବୁଲିବା ସହ ଗ୍ରାମବାସୀଙ୍କ ସୁବିଧା – ଅସୁବିଧା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସୁକତେଲ ନଦୀ ଉପରେ ନିର୍ମିତ ଯୁଧିଷ୍ଠିର ସେତୁ ଓ ଛତାମଖନା ବ୍ୟାରେଜ ପରିଦର୍ଶନ କରି ସେଠାକାର ସ୍ଥିତି ମଧ୍ୟ ପରଖିଥିଲେ । ପରେ ଛତାମଖନା ଗ୍ରାମର ଦଳିତ ବସ୍ତି ପକ୍ଷରୁ ଆୟୋଜିତ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଯୋଗ ଦେଇଥିଲେ । ବସ୍ତିର ଶତାଧିକ ମହିଳା ଓ ପୁରୁଷ ନିଜ ଗ୍ରାମର ଏହି ସୁଯୋଗ୍ୟ ସନ୍ତାନକୁ ନିକଟରେ ପାଇ ଆନନ୍ଦ ଓ ଉତ୍ସାହର ସହ ସ୍ୱାଗତ କରିଥିଲେ । ଏହି ଅବସରରେ ବସ୍ତିବାସୀ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଶ୍ରୀ ମିଶ୍ରଙ୍କୁ ଅବଗତ କରାଇ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ । ସ୍ୱାଗତ ସଭାରେ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ, ସମାଜରୁ ଅସ୍ପୃଶ୍ୟତା ଓ ଭେଦଭାବ ଦୂର ନ ହେଲେ ଆଗାମୀ ଦିନରେ ସମାଜିକ ବିଶୃଙ୍ଖଳା ଓ ଅରାଜକତା ସୃଷ୍ଟି ହୋଇପାରେ । ଏହାର କୁପରିଣାମ ଭବିଷ୍ୟତ ପିଢିକୁ ଭୋଗିବାକୁ ପଡିବ । ତେଣୁ ସମସ୍ତେ ଏକଜୁଟ ହୋଇ ଅସ୍ପୃଶ୍ୟତା ଓ ଭେଦଭାବର ମୂଳୋତ୍ପାଟନ ପାଇଁ ଉଦ୍ୟମ କରିବା ଆବଶ୍ୟକ । ସମାଜ ପ୍ରଗତି ପାଇଁ ଶିକ୍ଷିତ ଓ ସଂଗଠିତ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ବସ୍ତିବାସୀଙ୍କ ଅଭିଯୋଗ ଅନୁଯାୟୀ, ପଡାର ବିଭିନ୍ନ ରାସ୍ତା ମରାମତି, ପୋଖରୀରେ ଗାଧୁଆ ତୁଠ ନିର୍ମାଣ, ପଡା ସହ ଗ୍ରାମର ବିଭିନ୍ନ ରାସ୍ତାର ଉନ୍ନତି ଓ ରାସ୍ତା ଆଲୋକୀକରଣ ଭଳି ସମସ୍ୟା ତାଙ୍କ ନଜରକୁ ଆଣିଥିଲେ । ଏ ନେଇ ଶ୍ରୀ ମିଶ୍ର ସଂପୃକ୍ତ ବିଭାଗୀୟ ଅଧିକାରୀ ସହ ଆଲୋଚନା କରି ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ଶ୍ରୀ ମିଶ୍ର ନିଜ ଏନ୍ତୁଡିଶାଳ ତଥା ବାଲ୍ୟକାଳ କଟିଥିବା ଗ୍ରାମର ତଳମୁଣ୍ଡ ଓ ଉପରମୁଣ୍ଡରେ ଅବସ୍ଥିତ ନିଜ ପୈତୃକ ଘର ପରିଦର୍ଶନ କରିଥିଲେ । ସେଠାରେ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ଏହି ଅବସରରେ ୧୯୬୦ ଦଶକରେ ଭୂଦାନ ଆନ୍ଦୋଳନ ପୁରୋଧ ବିନୋବା ଭାବେ ଅବସ୍ଥାନ କରିଥିବା ଇଂରାଜୀ ବିଦ୍ୟାଳୟ ମଧ୍ୟ ସେ ପରିଦର୍ଶନ କରିଥିଲେ । ନିଜ ବ୍ୟକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ, ଛତାମଖନାକୁ ଏକ ଆଦର୍ଶ ଓ ବିକଶିତ ଗ୍ରାମରେ ପରିଣତ କରିବା ତାଙ୍କର ପ୍ରୟାସ ସବୁବେଳେ ରହିବ ବୋଲି କଥା ଦେଇଥିଲେ । ଏହି ପରିଦର୍ଶନ ସମୟରେ ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶୁଭ୍ରାଂଶୁ ଶେଖର ପଣ୍ଡା, ବାସୁ ତ୍ରିପାଠୀ, ଶ୍ରୀହରି ମିଶ୍ର, ରାଧାକାନ୍ତ ମିଶ୍ର, ରାଜେଶ ସିକା, ରାମ ବିଶ୍ୱାଳ, ବିରାଟ ହରପାଲ, ହରି ସିକା, ବେଦବ୍ୟାସ ହରପାଲି, ଧୁବା ଘିବେଲା, ମହାଦେବ ନାଏକ, ହେମନ୍ତ ହରପାଲ, ସୂର୍ଯ୍ୟକାନ୍ତ ବାଗ, ବିରେନ୍ଦ୍ର ହରପାଲ, ଜିତେନ୍ଦ୍ର ହରପାଲ, ଜିତେନ୍ଦ୍ର ନନ୍ଦ, ବିହାରୀ ନନ୍ଦ, ବିଜୁ ହରପାଲଙ୍କ ସମେତ ଗାଁର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.