jayashree

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ବ୍ଲକ ସ୍ତରୀୟ ଗୀତା ଆବୃତ୍ତି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ପ୍ରଧାନ ଆଚାର୍ଯ୍ୟ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରାୟ ୪୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍‌ଭଗବତଗୀତାର ଷଷ୍ଠ ଅଧ୍ୟାୟ ଆବୃତ୍ତି କରିଥିଲେ । ପ୍ରତିଯୋଗିତା ହୋଇଥିବା ଚାରୋଟି ବର୍ଗରେ କ’ ବିଭାଗରୁ ଶାଶ୍ଵତୀ ସମର୍ପିତା, ନିରୁପମା ମହାନନ୍ଦ, ପ୍ରତ୍ୟୁଷ କୁମାର ଜାଲ, ଖ’ ବିଭାଗରୁ ଶ୍ରୀମୟୀ ମେହେର, ସାଇନା ସାହୁ, ରୀତିକା ବିଶ୍ୱାଳ, ଗ’ ବିଭାଗରୁ ନିବେଦିତା ସାହୁ, ଗୋପାଲୀ ଭୁଏ, ଶ୍ରଦ୍ଧାଞ୍ଜଳୀ ମେହେର ଓ ଘ’ ବିଭାଗରୁ ଶୃତି ପଣ୍ଡା, ପ୍ରୀତି ପଣ୍ଡା, ନିରୁପମା ଦାଶ ପୁରସ୍କୃତ ହୋଇ ଆଗାମୀ ଦିନରେ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗୁରୁଜୀ ଅଶ୍ୱିନୀ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ମୁଖ୍ୟ ଅତିଥି ଭାବେ ସତଳମା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଗୀତାପ୍ରେମୀ ଫଗୁନୁ ଚଉଁର ଓ ଭୀମଟିକ୍ରା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଯ୍ୟଭାନୁ ଦାଶ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ସୁବାଷ ଚନ୍ଦ୍ର ପାତ୍ର ଗୀତାର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ ଓ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ପ୍ରତ୍ୟହ ଗୀତା ଅଧ୍ୟୟନ କରିବାକୁ ପ୍ରେରଣା ଦେଇଥିଲେ । ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ବାଳଗୋପାଳ ଚାନ୍ଦ ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ମାନ୍ୟଗଣ୍ୟ ସଂସ୍କୃତ ବିଦ୍ୱାନ ମଞ୍ଜୁଲତା ମିଶ୍ର, ଜୟ କୁମାର ସାହୁ, ଅଜିତ କୁମାର ରଣା, ହୃଷିକେଶ ଡାଙ୍ଗ, ବିଶ୍ୱନାଥ ବଡ଼ପଣ୍ଡା, ରାଜୀବ ଲୋଚନ ଦଣ୍ଡସେନା ପ୍ରମୁଖ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଜ୍ଞାନ ମିଶନର ସଂଯୋଜକ ସୀତାଂଶୁ ପୂଜାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଇତ୍ୟବସରରେ ବାଙ୍କୀପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହୃଷିକେଶ ଡାଙ୍ଗ ସ୍ୱରଚିତ ପୁସ୍ତକ ବିରାଜନାର ଗୋଟିଏ ଲେଖାଏଁ କପି ଶିଶୁ ମନ୍ଦିର ଓ ପ୍ରଜ୍ଞାନ ମିଶନକୁ ଅର୍ପଣ କରିଥିଲେ । କୁନି ପ୍ରତିଭା ବୈଷ୍ଣବୀ ରଣାଙ୍କ ଗୀତା ଶ୍ଳୋକ ଆବୃତ୍ତି ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଶେଷରେ ବ୍ଲକ୍ ସଂଯୋଜକ ତଥା ଗଜବନ୍ଧ କ୍ଲଷ୍ଟରର ସିଆରସିସି ନରେନ୍ଦ୍ର ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିଶୁମନ୍ଦିର ପରିଚାଳନା ସମିତି ସମ୍ପାଦକ ମୀନକେତନ ଖମାରୀ, ପୂର୍ବତନ ଡୁଙ୍ଗୁରିପାଲି ସିଆରସିସି ଥବିର ଦୋରା, ଅଭିଭାବକ ଗୌରାଙ୍ଗ ପଧାନ ଛାତ୍ରଛାତ୍ରୀଙ୍କ ପିତାମାତା ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

Leave A Reply

Your email address will not be published.