jayashree

ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ, ମୋର ବନ୍ଧୁ, ରାଷ୍ଟ୍ରପତିମହାଶୟ,
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର

ତାସକେଣ୍ଟରେ ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳକୁ ଯେଉଁ ଉଷ୍ମ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ କରାଯାଇଥିଲା, ସେଥିପାଇଁ ମୁଁ ରାଷ୍ଟ୍ରପତି ଏବଂ ଉଜବେକିସ୍ତାନର ଜନସାଧାରଣଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି।

ଏହା ଉଜବେକିସ୍ତାନକୁ ମୋର ଚତୁର୍ଥ ଗସ୍ତ। ଏହା ଆମର ସମ୍ପର୍କର ନିବିଡ଼ତା, ଆମର ଆପୋସ ସମନ୍ୱୟ ଏବଂ ଆମର ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ।

ମୁଁ ପ୍ରାୟ ଏକ ଦଶନ୍ଧି ଧରି ରାଷ୍ଟ୍ରପତିଙ୍କ ସହିତ କାମ କରିବାର ସୌଭାଗ୍ୟ ପାଇଛି। ଏହି ସମୟ ମଧ୍ୟରେ, ମୁଁ ତାଙ୍କୁ ଦଶ ଥରରୁ ଅଧିକ ଥର ଭେଟିବାର ସୁଯୋଗ ପାଇଛି।

ତାଙ୍କର ସକାରାତ୍ମକ ଓ ଦୂରଦୃଷ୍ଟିପୂର୍ଣ୍ଣ ଦୃଷ୍ଟିକୋଣଏବଂ ନିରନ୍ତର ଶିକ୍ଷାର ମନୋଭାବ ପ୍ରକୃତରେ ପ୍ରେରଣାଦାୟକ। ଭାରତ ପ୍ରତି ତାଙ୍କର ଗଭୀର ବନ୍ଧୁତା ତଥା ଅଟଳ ପ୍ରତିବଦ୍ଧତା ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଉଜବେକିସ୍ତାନ ମଧ୍ୟ ଏସିଆର କେନ୍ଦ୍ରରେ ଅବସ୍ଥିତ ଏବଂ ଏହି କ୍ଷେତ୍ର ସହ ଭାରତର ସମ୍ପର୍କର କେନ୍ଦ୍ରରେ ମଧ୍ୟ ଏହା ରହିଛି ।

ଭାରତ ଓ ଉଜବେକିସ୍ତାନର ଦୃଷ୍ଟିକୋଣ ଏବଂ ଆକାଂକ୍ଷାରେ ଗଭୀର ସମାନତା ରହିଛି । ଯୁବପିଢ଼ି, ନବସୃଜନ, ସମାବେଶୀ ଅଭିବୃଦ୍ଧି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ‘‘ୟାଙ୍ଗି ଉଜବେକିସ୍ତାନ’’ ଏବଂ ‘‘ବିକଶିତ ଭାରତ ୨୦୪୭’’ଉଭୟର ମୂଳରେ ରହିଛି। ଏହି ସମାନ ଦୃଷ୍ଟିକୋଣକୁ ଅନୁସରଣ କରିଆମେ ଉଭୟ ଦେଶର ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛୁ।

ଏହି ବର୍ଷ ଆମର ରଣନୀତିକ ସହଭାଗୀର ପଞ୍ଚଦଶ ବାର୍ଷିକୀ। ଏହି ବିଶେଷ ଅବସରରେ, ଆମେ ଆମର ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ସହଭାଗୀତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ। ଆଜି, ଆମେ ଆମର ସହଭାଗୀର ଏହି ନୂତନ ଫର୍ମାଟରେ ଦ୍ରୁତ ଗତି ଏବଂ ଦୃଢ଼ ଫଳାଫଳ ସହିତ ଆଗକୁ ବଢ଼ିବା ପାଇଁ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ସ୍ଥିର କରିଛୁ।

ଆମର ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ କୋଟି ଡଲାର ଅତିକ୍ରମ କରିଛି। ଆମେ ଏବେ ୨୦୩୦ ସୁଦ୍ଧା ଏହାକୁ ୫୦୦ କୋଟି ଡଲାର ଲକ୍ଷ୍ୟ ରଖିଛୁ। ଏହାକୁ ହାସଲ କରିବା ପାଇଁଆମେ ବଜାର ପ୍ରବେଶ, ସଂଯୋଗୀକରଣ, ବ୍ୟାଙ୍କିଂ ଏବଂ ଦେୟ ସହିତ ଜଡିତ ପ୍ରସଙ୍ଗଗୁଡ଼ିକୁ ବ୍ୟବସ୍ଥିତ ଭାବରେ ଆଗକୁ ବଢ଼ାଉ।

ଭିତ୍ତିଭୂମି ବିକାଶରେ ପାରସ୍ପରିକ ଲାଭଦାୟକ ସହଯୋଗ ବୃଦ୍ଧି କରିବା ପାଇଁ ଆମେ ଏକାଠି କାମ କରିବୁ। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସ୍ୱଚ୍ଛ ଶକ୍ତି, ମହାକାଶ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗ ଆମର ସମ୍ପର୍କକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି।

ବନ୍ଧୁଗଣ,

କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ଶକ୍ତି ପରସ୍ପରର ପରିପୂରକ। ଉଜବେକିସ୍ତାନର ଉଦ୍ୟାନ କୃଷି ଅଭିଜ୍ଞତା ଏବଂ ଭାରତର ଆଧୁନିକ କୃଷି ପଦ୍ଧତିକୁ ମିଶ୍ରଣ କରିଆମେ ଉଭୟ ଦେଶର ଖାଦ୍ୟ ସୁରକ୍ଷାରେ ଯୋଗଦାନ ଦେବୁ।

ଉଜବେକିସ୍ତାନର ଔଷଧୀୟ ଜଡ଼ିବୁଟି ଏବଂ ଭାରତର ଆୟୁର୍ବେଦ ବିଶେଷଜ୍ଞତା ମଧ୍ୟ ଏକ ପ୍ରାକୃତିକ ମିଶ୍ରଣ। ପାରମ୍ପରିକ ଔଷଧ ଉପରେ ଆଜିର ଚୁକ୍ତିନାମା ଆମର ମିଳିତ ପ୍ରୟାସକୁ ମଜବୁତ କରିବ।

ଆମର ପ୍ରୟାସ ହେଉଛି ଯେ ଆମର ସହଭାଗୀତା କେବଳ ଦୁଇଟି ରାଜଧାନୀ ମଧ୍ୟରେ ସୀମିତ ନ ରହେ। ତେଣୁ, ଆମେ ଆମର ସହର ଏବଂ ରାଜ୍ୟ ମଧ୍ୟରେ ସହଭାଗୀତା ସ୍ଥାପନ କରିବାକୁ ଯାଉଛୁ। ଏହି ସହଭାଗୀତା ସହରାଞ୍ଚଳ ପରିଚାଳନା, ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ ଏବଂ ସଂସ୍କୃତିରେ ସିଧାସଳଖ ସଂଯୋଗକୁ ମଜବୁତ କରିବ।

ଦୁଇ ଦେଶ ମଧ୍ୟରେ ଘନିଷ୍ଠ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରେ। ଭବିଷ୍ୟତରେ, ଆମେ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ସିଧାସଳଖ ସଂଯୋଗ, ସହ-ଉତ୍ପାଦନ ଏବଂ ସହ-ବିକାଶକୁ ପ୍ରୋତ୍ସାହିତ କରିବୁ।

ଆମେ ବିଶ୍ୱାସ କରୁ ଯେ ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ସମଗ୍ର ଅଞ୍ଚଳ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରେ। ଏଗୁଡ଼ିକ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଆମର ମିଳିତ ସଂକଳ୍ପ ଥିଲା ଏବଂ ରହିବ।

ବନ୍ଧୁଗଣ,

ଆମର ସମ୍ପର୍କ ଆମର ସହଭାଗୀ ଐତିହ୍ୟରେ ଗଭୀର ଭାବରେ ଜଡିତ। ଆଜି ଆମେ ସେଗୁଡ଼ିକୁ ଆହୁରି ମଜବୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଛୁ।

ଆମେ ଉଜବେକିସ୍ତାନର ବୌଦ୍ଧ ଐତିହ୍ୟ ସ୍ଥଳଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଏକାଠି କାମ କରିବୁ। ଉଭୟ ଦେଶର ଯୁବକଯୁବତୀ, ବିଶେଷକରି ଛାତ୍ରଛାତ୍ରୀଓପେସାଦାରଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଆମ ପାଇଁ ଏକ ଉଚ୍ଚ ପ୍ରାଥମିକତା। ଆଜି, ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ବୃଦ୍ଧି ପାଇଁ ଏକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତ ହୋଇଛି। ମୁଁ ଖୁସି ଯେ ଆମେ ଉଜବେକିସ୍ତାନରେ ହିନ୍ଦୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରବୃତ୍ତି ଘୋଷଣା କରୁଛୁ।

କ୍ରୀଡ଼ା ମଧ୍ୟ ଆମର ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଉଭା ହେଉଛି। ଗତ ବର୍ଷ, କୋଡ଼ିଏ ବର୍ଷୀୟ ଉଜବେକିସ୍ତାନ ଗ୍ରାଣ୍ଡମାଷ୍ଟର ସିନ୍ଦାରୋଭ ଗୋଆରେ ଫିଡେବିଶ୍ୱକପ୍ ଜିତିଥିଲେ। ଏବେ, ନଭେମ୍ବରରେ, ସେ ଭାରତର କୋଡ଼ିଏ ବର୍ଷର ଚେସ୍ ଚାମ୍ପିଅନ୍ ଗୁକେଶଙ୍କ ସହ ମୁକାବିଲା କରିବେ। ଯେତେବେଳେ ଏହି ଦୁଇ ଯୁବ ତାରକା ସମାନ ଚେସ୍ ବୋର୍ଡରେ ମୁହାଁମୁହିଁ ହେବେ, ସେତେବେଳେ ସମଗ୍ର ବିଶ୍ୱ ନିଃସନ୍ଦେହରେ ଏହି ମ୍ୟାଚ୍ ଦେଖୁଥିବ। ଆସନ୍ତା ମାସରେ ସମରକନ୍ଦରେ ଅନୁଷ୍ଠିତ ହେବାକୁ ଥିବା ଚେସ୍ ଅଲିମ୍ପିଆଡ୍ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ଭବିଷ୍ୟତରେ, କୁରାଶ ଏବଂ କବାଡି ଭଳି ପାରମ୍ପରିକ ଖେଳ ମଧ୍ୟ ଆମର କ୍ରୀଡ଼ା ସହଭାଗୀତାକୁ ନୂତନ ଶକ୍ତି ଦେବ।
ଆଜିର ଆଲୋଚନା ଆମ ସମ୍ପର୍କର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗ ନିର୍ଦ୍ଧାରଣ କରିଛି ।

ମହାମହିମ,

ଆପଣଙ୍କ ବନ୍ଧୁତା ଏବଂ ଆଜିର ଫଳପ୍ରଦ ଆଲୋଚନା ପାଇଁ ପୁଣି ଥରେ ଧନ୍ୟବାଦ।

ଦୁଇ ଦିନ ପରେ, ଉଜବେକିସ୍ତାନ ସ୍ୱାଧୀନତାର ୩୫ତମ ବାର୍ଷିକୀ ପାଳନ କରିବ। ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ, ମୁଁ ଆପଣଙ୍କୁ ଏବଂ ଆମର ସମସ୍ତ ନାଗରିକଙ୍କୁ ମୋର ହୃଦୟର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Leave A Reply

Your email address will not be published.