
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ସଂସଦ ଯୁଗ୍ମ-ସଂପାଦକ ପଦ୍ମଚରଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା । କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଜିଲ୍ଲା କ୍ରୀଡ଼ାଅଧିକାରୀ ପରାସର ବାଗ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର, କୈଳାସ ଚନ୍ଦ୍ର କର୍ତ୍ତୀ, ଭୂପେନ୍ଦ୍ର ପ୍ରସାଦ ସିଂ, ନାରାୟଣ ପ୍ରସାଦ ମିଶ୍ର, ଶ୍ରୀକାନ୍ତ ରାଉତ ମଂଚାସୀନ ଥିଲେ । ଏହି ବୈଠକରେ ସମସ୍ତ ଜୋନ ସଂଯୋଜକ ଉପସ୍ଥିତ ଥିଲେ । ସେପ୍ଟେମ୍ବର ୧ରେ ୮ ଗୋଟି ପଡ଼ିଆରେ ଏକକାଳୀନ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ୭୨ ଗୋଟି ଦଳ ଭାଗ ନେବେ । ହାଇସ୍କୁଲ ପଡ଼ିଆ ଚୂଡ଼ାପାଲି, ସିଟି ସ୍କୁଲ ପଡ଼ିଆ ଟିଟିଲାଗଡ଼, ଖୁଜେନପାଲି ପଡ଼ିଆ, ପଲ୍ଲିଶ୍ରୀ ଷ୍ଟାଡ଼ିୟମ ସଦାଇପାଲି, ଟାଉନ୍ ହାଇସ୍କୁଲ ପଡ଼ିଆ ବଲାଙ୍ଗିର, ଜରାସିଂହା ମିନି ଷ୍ଟାଡ଼ିୟମ, ଲୋଇସିଂହା ମିନି ଷ୍ଟାଡ଼ିୟମ ଓ ହଲଦୀ ହାଇସ୍କୁଲ ପଡ଼ିଆରେ ଜୋନ୍ ଖେଳ ହେବ । ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ୮ ଓ ୯ ଏବଂ ଆର୍.ଏନ୍. ସିଂହଦେଓ ସ୍ପୋର୍ଟସ କମପ୍ଳେକ୍ସ ଠାରେ ୯ ଓ ୧୦ ସୁପର୍ ନକ୍ଆଉଟ୍ ଖେଳ ହେବ । ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ୧୦ ଓ ୧୧ ସେମିଫାଇନାଲ ଓ ୧୨ ତାରିଖରେ ଗ୍ରାଣ୍ଡ୍ ଫାଇନାଲ ଖେଳ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।