jayashree

ଶିଶୁ ସୁରକ୍ଷା ଯୋଜନା ପାଇଁ ତାଲିମ ଶିବିର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତି ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ସୁନ୍ଦରଗଡ଼ର ମିଳିତ ଆୟୋଜନରେ ହୋଇଥିବା ଏହି ତାଲିମରେ ବଡ଼ଗାଁ ବ୍ଲକ୍‌ର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ । ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ତାଲିମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁଙ୍କ ପାଇଁ ପଞ୍ଚାୟତ ସ୍ତରରେ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ସିଡିପିଓ ସୁଜାତା ବେକ୍‌ କହିଥିଲେ, ଶିଶୁମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ପାଇଁ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଅନ୍‌ଟାଏଡ୍‌ ପାଣ୍ଠିର ୫ ପ୍ରତିଶତ ଅର୍ଥ ବ୍ୟବହାରକୁ ସୁନିଶ୍ଚିତ କରିବା ଆବଶ୍ୟକ । ଏଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସେ ମତ ଦେଇଥିଲେ । ସେହିପରି ଜିପିଡିଓ କିରଣ କୁମାର ତାତି ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଏହି ପାଣ୍ଠିର ୫ ପ୍ରତିଶତ ଅର୍ଥ ଶିଶୁ ସୁରକ୍ଷା କାର୍ଯ୍ୟରେ ସୁନିଶ୍ଚିତ କରିବା ନେଇ ଅବଗତ କରିଥିଲେ । ଏଥିସହ ବାଲ୍ୟ ବିବାହ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତାମୂଳକ ବୋର୍ଡ ଲଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ଯୋଗଦେଇ କିଶୋର ନ୍ୟାୟ ଆଇନ୍‌, ବାଲ୍ୟ ବିବାହ ନିରୋଧ ଆଇନ୍‌, ପୋକ୍ସୋ ଆଇନ୍‌, ଶିଶୁ ଶ୍ରମିକ ନିରୋଧ ଆଇନ୍‌ ଏବଂ ପିସିପିଏନ୍‌ଡିଟି ଆଇନ୍‌ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଅରୁଣାର ଜିଲ୍ଲା ପରାମର୍ଶଦାତା ଆକାଶ କୁମାର ପାତ୍ର ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ଗୋଷ୍ଠୀଭିତ୍ତିକ ଓ ବ୍ୟକ୍ତିଗତ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ବୁଝାଇଥିଲେ । ଏହି ଅବସରରେ ଚାଇଲ୍ଡ ହେଲ୍ପଲାଇନ୍‌ର ଜିଲ୍ଲା ସଂଯୋଜକ ଜିତୁ ପଟେଲ ଶିଶୁ ସୁରକ୍ଷାରେ ଚାଇଲ୍ଡ ହେଲ୍ପଲାଇନ୍‌ର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ବିପଦରେ ଥିବା ଶିଶୁଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ସେବା ଉପଲବ୍ଧ ଥିବା ଏବଂ ଜରୁରୀ ସମୟରେ ୧୦୯୮ ନମ୍ବରରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଶେଷରେ ଆକାଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ତାଲିମ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.